କିଆକଟା ପଞ୍ଚାୟତବାସୀଙ୍କ ସମସ୍ୟା ଶୁଣିଲେ ନଳିନୀ ପ୍ରଧାନ, ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ

କିଆକଟା : ଗତ ଲଘୁଚାପ ବର୍ଷାରେ ମହାନଦୀରେ ବନ୍ୟା ଯୋଗୁଁ ଆଠମଲ୍ଲିକ ବ୍ଲକର ପ୍ରାୟ ଅଧିକାଂଶ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି । ସେଥି ମଧ୍ୟରୁ ତିନୋଟି ପଞ୍ଚାୟତ ଯଥା-ଅଏଡା, ଲୁହାସିଙ୍ଗା, ଜାମୁଡୋଲି ଅଧିକ କ୍ଷତିଗ୍ରସ୍ତ ହେବା ସହ ୨୬ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିଲେ । ଏହି ସବୁ ବନ୍ୟା ପ୍ରଭାବିତ ଅଂଚଳ ବୁଲି ଲୋକଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ ଗତକାଲି ପୂର୍ବତନ ପୂର୍ତ୍ତ ସଚିବ ତଥା ଗତ ଲୋକସଭା ନିର୍ବାଚନରେ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ଇଂ.ନଳିନୀ ପ୍ରଧାନ । ଆଜି ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ସମସ୍ୟା ସଂପର୍କରେ ସେ ପଞ୍ଚାୟତବାସୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଆଜି କିଆକଟା ପଞ୍ଚାୟତର ଯୁବନେତା ସୁମନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲେ । ଏଥିରେ ଇଂ. ପ୍ରଧାନ ଯୋଗ ଦେଇ ପଞ୍ଚାୟତର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ସମାଧାନ ପାଇଁ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ଗତ ଲଗାଣ ଲଘୁଚାପ ବର୍ଷା ଓ ମହାନଦୀ ବନ୍ୟା ପାଣିରେ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମି ଗୁଡିକ କ୍ଷୟକ୍ଷତି ଆକଳନ କରାଯାଇ ସରକାରଙ୍କ ନିୟମ ଅନୁଯାୟୀ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ସେ କହିଛନ୍ତି । ସେହିପରି ଲଗାଣ ବର୍ଷା ଯୋଗୁଁ ପଞ୍ଚାୟତର କେତେକ ପୋଲ ନଷ୍ଟ ହୋଇଯାଇଥିବାରୁ ସେଗୁଡିକ ଖୁବଶୀଘ୍ର ମରାମତି କରାଯିବ ବୋଲି ସେ କହିଛନ୍ତି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଟୁସରର ପୂର୍ବତନ ସରପଞ୍ଚ ମୋତିଲାଲ ଭୋକ୍ତା, ବାସୁଦେବପୁର ସରପଞ୍ଚ ସୂର୍ଯ୍ୟନାରାୟଣ ଡାଙ୍ଗ, ବାମୁର ସରପଞ୍ଚ, କତଡା ସରପଞ୍ଚ କ୍ଷମାନିଧି ପ୍ରଧାନ, ସରୋଜ ରାଉଳ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି କିଆକଟା ପଞ୍ଚାୟତର ବିଜେଡି କର୍ମୀ ଗଣେଶ୍ୱର ବେରିହା, ଋୁଷଭ ପାଣ୍ଡେ, ସତ୍ୟଜିତ ମହାନ୍ତି, ଦିଗ ପ୍ରଧାନ, ସଂଜୀବ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment