ଆହତ ଷଣ୍ଢର ସମସ୍ତ ଦାୟିତ୍ୱ ନେଲେ ସିଙ୍ଗରାପଲ୍ଲୀ ସରପଞ୍ଚ

ଦଶପଲ୍ଲା : ସାଂପ୍ରତିକ ପରିସ୍ଥିତି ଏବଂ ଯୁଗାନୁମତେ ମଣିଷ ପୃଥିବୀର ଶ୍ରେଷ୍ଠ ତଥା ବୁଦ୍ଧିମାନ ଜୀବ ବୋଲାଉଥିବା ବେଳେ ଆମ ଭିତରେ ମଣିଷପଣିଆ କିନ୍ତୁ ଧିରେ ଧିରେ ହଜି ହଜି ଯାଉଛି । ମଣିଷ ମଣିଷ ଭିତରେ ହିଂସା, ବିଦ୍ୱେଷ, ପରଶ୍ରୀକାତରତା ବଢ଼ି ଚାଲିଥିବା ବେଳେ ମାନବିକତାର ଏକ ନିଚ୍ଛକ ପ୍ରତିଫଳନ ଦେଖିବାକୁ ମିଳିଛି ସିଙ୍ଗାରପଲ୍ଲୀ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚଙ୍କ ପାଖରେ । ସ୍ଥାନୀୟ ସେନ୍ତେରୀ ଗ୍ରାମରେ କେହିଜଣେ ଦୁର୍ବୃତ୍ତ ଗୋଟିଏ ବୁଲା ଷଣ୍ଢକୁ ଅମାନୁଷିକ ଭାବରେ ମାରଣାସ୍ତ୍ରରେ ଆକ୍ରମଣ କରି ଗୋଟିଏ ଗୋଡ଼କୁ ହାଣି ଦେଇଥିଲା । ଆକ୍ରମଣରେ ଷଣ୍ଢଟିର ଗୋଡ଼ଟି ପ୍ରାୟତଃ ଛିଣ୍ଡି ଯାଇଥିଲା । ଖବରପାଇ ସିଙ୍ଗାରପଲ୍ଲୀ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତି ଗାୟତ୍ରୀ ବେହେରା ଏବଂ ତାଙ୍କର ସ୍ୱାମୀ ସମାଜସେବୀ ବିଭୂତି ଭୂଷଣ ବେହେରା ମିଶି କିଛି ସ୍ୱେଚ୍ଛାସେବୀଙ୍କ ସହାୟତାରେ ଆହତ ଷଣ୍ଢଟିକୁ ଉଦ୍ଧାର କରି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ନେଇଯାଇଥିଲେ ।

ସେଠାରେ ଅସ୍ଥିଶଲ୍ୟ ବିଭାଗରେ ଉପଯୁକ୍ତ ଚିକିତ୍ସା କରିବା ସହ ଭୁବନେଶ୍ୱରର ଏକ ଗୋଶାଳାରେ ଷଣ୍ଢଟିକୁ ରଖି ତାର ଉପଯୁକ୍ତ ଯତ୍ନ ନେଉଛନ୍ତି । ପ୍ରାପ୍ତ ଖବର ଅନୁସାରେ ଧୀରେ ଧୀରେ ଷଣ୍ଡଟି ସୁସ୍ଥ ହେଉଛି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ସରପଞ୍ଚ ତାର ସମସ୍ତ ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ସରପଞ୍ଚ ଦାୟିତ୍ୱ ନେବାପରେ ଶ୍ରୀମତି ବେହେରା ଏବଂ ତାଙ୍କର ସମାଜସେବୀ ସ୍ୱାମୀ ଯେଉଁ ମହନୀୟତା ଦେଖାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ବହୁ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଷଣ୍ଢ ସୁସ୍ଥ ହୋଇ ଗ୍ରାମକୁ ଫେରିଲେ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା ଦିଆଯିବ ବୋଲି ଗ୍ରାମବାସୀ ଜଣାଇଛନ୍ତି ।

Comments (0)
Add Comment