ପୁରୀ : ପୁରୀ ଜିଲ୍ଲାସ୍କୁଲ ନିକଟସ୍ଥ ପୁରୁଣା ସଦର ଥାନା ଛକଠାରେ ଗୀତଗୋବିନ୍ଦର ରଚୟିତା କବି ଜୟଦେବଙ୍କ ପ୍ରତମୂର୍ତ୍ତି ଶ୍ରୀ ଜୟଦେବ ଫାଉଣ୍ଡେସନ ପକ୍ଷରୁ ଗତକାଲି ସଂଧ୍ୟାରେ ଉନ୍ମୋଚିତ ହୋଇଯାଇଛି । ପ୍ରାକ୍ତନ କମିଶନର ଦିଗମ୍ବର ମହାନ୍ତି ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାକ୍ତନ କମିଶନର ଶ୍ରୀ ମହାନ୍ତି ଜୟଦେବଙ୍କ ଜୟନ୍ତୀ ଆଜି ଏକ ଜାଗରଣରେ ପରିଣତ ହୋଇଛି ବୋଲି କହିଥିଲେ । ପୂଜ୍ୟପୂଜାର ସମ୍ମାନ ସମାଜକୁ ଶୃଙ୍ଖଳିତ ଓ ସଂସ୍କାରିତ କରିଥାଏ । ଜୟଦେବଙ୍କ ଗୀତଗୋବିନ୍ଦ ଭକ୍ତି ପ୍ରେମ ରସର ଏକ ଅନନ୍ୟ ସୃଷ୍ଟି । ଏହା ଗୋବିନ୍ଦଙ୍କ ପାଇଁ ଗୀତ ଯାହା ପ୍ରଭୁଙ୍କର ଅତି ପ୍ରିୟ ବୋଲି ସେ କହିଥିଲେ । ଉଦଘାଟକ ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଭକ୍ତ କବି ଜୟଦେବ ଓ ତାଙ୍କ ରଚିତ ଗୀତଗୋବିନ୍ଦ ସମ୍ପର୍କରେ ମତବ୍ୟକ୍ତ କରି ଏହି କାଳଜୟୀ ସୃଷ୍ଟି କବି ଜୟଦେବଙ୍କୁ ଚିର ଅମର କରି ରଖିଥିବ । ପ୍ରଭୁ ଜଗନ୍ନାଥଙ୍କର ଗୀତଗୋବିନ୍ଦ ପ୍ରତି ଭଲ ପାଇବା ଏପରିଯେ ଗୀତଗୋବିନ୍ଦ ଶୁଣି ସେ ନିଦ୍ରା ଯାଆନ୍ତି ବୋଲି କହିବା ସହ ଜୟଦେବଙ୍କ ପ୍ରତିମୂର୍ତ୍ତି ସ୍ଥଳର ସୁରକ୍ଷା ଇତ୍ୟାଦି ପାଇଁ ହେଉଥିବା ପ୍ରସ୍ତାବ ସମ୍ପର୍କରେ ପଦକ୍ଷେପ ନେବାକୁ ସୂଚନା ଦେଇଥିଲେ । ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ କବି ଜୟଦେବ, ଗୀତଗୋବିନ୍ଦ ଓ ପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କ ବିଷୟରେ ବିଶଦ ଆଲୋକପାତ କରି ପ୍ରତମୂର୍ତ୍ତି ସ୍ଥଳ ଚିହ୍ନଟ, ମୂର୍ତ୍ତି ସ୍ଥାପନ ଇତ୍ୟାଦି ସମ୍ବନ୍ଧରେ ମତ ଦେଇଥିଲେ । ରବି ନାରାୟଣ ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଫାଉଣ୍ଡେସନର କାର୍ଯ୍ୟକାରୀ ସଭାପତି ଚକ୍ରଧର ମହାପାତ୍ର, ସଦସ୍ୟ ଜଟାଧାରୀ ମିଶ୍ର, ଚିତ୍ତରଞ୍ଜନ ମିଶ୍ର ଜୟଦେବଙ୍କ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସମ୍ପାଦକ ଅନାମ ଚନ୍ଦ୍ର ସାହୁ ବିବରଣୀ ପ୍ରଦାନ, ସାହିତ୍ୟିକ କୈଳାସ ଚନ୍ଦ୍ର ଟିକାୟତରାୟ ମଞ୍ଚ ପରିଚାଳନା ଓ ଯୁଗ୍ମ ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସଂଗୀତ ପରିଷଦ ପକ୍ଷରୁ ଗୀତଗୋବିନ୍ଦ ପରିବେଷଣ କରାଯାଇଥିବା ବେଳେ ଶ୍ରୀ ଜଗନ୍ନାଥ ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦ ଓଡ଼ିଶା ସଂକୀର୍ତ୍ତନ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।