ବୌଦ୍ଧରେ ପ୍ରସିଦ୍ଧ ରଥଯାତ୍ରା ପାଳିତ

ବୌଦ୍ଧ: ବୌଦ୍ଧ ସହରର ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳୁ ତିନିଠାକୁରଙ୍କ ପୂଜା, ନୀତିକାନ୍ତି ସରିବା ପରେ ମନ୍ଦିର ପରିସରରୁ ଶ୍ରୀଜୀଉମାନଙ୍କୁ ଅଣାଯାଇଥିଲା । ବ୍ରାହ୍ମଣ ସେବାୟତ ମାନେ ସକାଳ ସାଢେ ୯ଟାରେ ପହଣ୍ଡି ପାଇଁ ଶ୍ରୀଜୀଉମାନଙ୍କୁ ପ୍ରସ୍ତୁତ ରଖିଥିଲେ । ସହରର ପୋଡା ପୋଡ଼ା, ନୂଆସାହି ଓ ପ୍ରଶାସନ ତରଫରୁ ତିନିଠାକୁରଙ୍କ ପାଇଁ ଟାହିଆ ଆସିବା ପରେ ଠାକୁରମାନଙ୍କୁ ଲାଗି କରାଯାଇ ପହଣ୍ଡି କରି ରଥଖଳାକୁ ଅଣାଯାଇଥିଲା । ରଥ ଚତୁଃପାଶ୍ୱର୍ରେ ବ୍ରାହ୍ମଣ ସମାଜ ତରଫରୁ ଶ୍ରୀଜୀଉମାନଙ୍କୁ ପହଣ୍ଡି କରାଯାଇ ୪ ବେଢା ପରିକ୍ରମା କରାଯାଇଥିଲା । କେଉଟ ସାହି, କାଲେଶ୍ୱର ଓ ନୂଆସାହିର ନାମ ସଂକୀର୍ତ୍ତନ୍ୟ ଦଳ ନାମ ସଂକୀର୍ତ୍ତନ କରିଥିବା ବେଳେ ଘଣ୍ଟଧ୍ୱନି, ହୁଳହୁଳି, ହରିବୋଲରେ ଚାରିଆଡେ଼ ପ୍ରକମ୍ପିତ ହୋଇ ଉଠିଥିଲା । ଶ୍ରୀଜିଉମାନଙ୍କ ପହଣ୍ଡିର ଦୃଶ୍ୟ ଅତ୍ୟନ୍ତ ମନୋରମ ଥିଲା । ପହଣ୍ଡି ପରେ ଶ୍ରୀଜୀଉମାନଙ୍କୁ ରଥାରୁଢ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଛୋଟ ଛୁଆମାନଙ୍କୁ ରଥଛୁଆଁ ପରମ୍ପରା ଅନୁଷ୍ଠିତ ହୋଇଥିଲା । ବ୍ରାହ୍ମଣ ସମାଜ ଓ ମନ୍ଦିର ପରିଚାଳନା କମିଟିର ତତ୍ତ୍ୱାବଧାନରେ ଶ୍ରୀଜୀଉମାନଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ରବିନ୍ଦ୍ରନାଥ କହଁର ପ୍ରମୁଖ ଉପସ୍ଥିତ ଥିଲେ । ବୌଦ୍ଧର ରାଜା ଦେବେନ୍ଦ୍ର ପ୍ରସାଦ ଦେବ ଛେରାପହଁରା କରିବା ପରେ ଅପରାହ୍ନ ୩ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ଦେଖିବା ପାଇଁ ଜିଲ୍ଲାରୁ ତଥା ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସୁଅ ଛୁଟିଥିଲା । ହରିଗୁଡି ରଥକୁ ମହିଳାମାନେ ଟାଣୁଥିବା ଦେଖିବାକୁ ମିଳିଥିଲା । ଘୋଷକ ଭାବେ ଚନ୍ଦ୍ରକାନ୍ତ ନାୟକ, ପ୍ରତାପ ରଥ, ସୁଶାନ୍ତ ମହାପାତ୍ର, ରମେଶ ମେହେର ପ୍ରମୁଖ ଧାରାବିବରଣୀ ପ୍ରଦାନ କରିଥିବାବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ଚଳିତବର୍ଷ ପ୍ରଥମଥର ପାଇଁ ଶ୍ରୀଜଗନ୍ନାଥ ମନ୍ଦିରରୁ ମାଉସୀ ମା ମନ୍ଦିର ପର୍ଯ୍ୟ” ରଥପଥକୁ ସୁନ୍ଦର ଚିତ୍ରକଳାରେ ସୁସଜ୍ଜିତ କରାଯାଇ ଆକର୍ଷଣୀୟ କରାଯାଇଥିଲା । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଅଗ୍ନିଶମ ବାହିନୀ ଦ୍ୱାରା ରାସ୍ତାରେ ପାଣି ସିଞ୍ଚନ କରାଯାଉଥିବାବେଳେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ତରଫରୁ ଭକ୍ତମାନଙ୍କ ପାଇଁ ପାନୀୟ ଜଳ ଓ ପଣା ବଣ୍ଟନ କରାଯାଇଥିଲା । ପହଣ୍ଡି ସମୟରେ ପୁଷ୍ପବୃଷ୍ଟି ଏବଂ ସଂକୀର୍ତ୍ତନ୍ୟ ଦଳଙ୍କ ଜୟ ଜଗନ୍ନାଥ ଧ୍ୱନି ପରିବେଶକୁ ଭକ୍ତିମୟ ସୃଷ୍ଟି କରିଥିଲା । ବୌଦ୍ଧ ଜିଲ୍ଲାପାଳ ସତ୍ୟରନ ସାହୁ ଓ ପ୍ରଶାସନିକ ଅଧିକାରୀମାନଙ୍କ ରଥଯାତ୍ରା ପରିଚାଳନାରେ ସକ୍ରିୟ କର୍ତ୍ତବ୍ୟ ସଂପାଦନକୁ ସାଧାରଣରେ ପ୍ରଶଂସା କରାଯାଉଛି ।

Comments (0)
Add Comment