ଗୋରୁ ଚାଲାଣ ବନ୍ଦ ପାଇଁ ଥାନାରେ ଅଭିଯୋଗ କଲା ଶ୍ରୀରାମ ସେନା

ହରଭଙ୍ଗା : ଅସହ୍ୟ ଗ୍ରୀଷ୍ମ ତାତି, ଲୋକେ ଦିନ ଆଠଟା ବାଜିଗଲେ ଘରୁ ବାହାରି ପାରୁନାହାନ୍ତି । ଏଭଳି ସ୍ଥିତିରେ ଗୋରୁ ବେପାରୀମାନେ ଶହ ଶହ ଗୋରୁଙ୍କୁ ଟାଣ ଖରାରେ ୫୭ ଜାତୀୟ ରାଜପଥ ଦେଇ ଚଳାଇ ଚଳାଇ ନେଉଥିବା ବେଳେ ପ୍ରଶାସନ ହେଉ କି ସ୍ଥାନୀୟ ପୋଲିସ ହେଉ ନୀରବ ଦ୍ରଷ୍ଟା ସାଜିଛନ୍ତି । ଏହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଉଥିବା ବେଳେ ଗୋମାତାଙ୍କୁ ଦିନ ଦ୍ୱିପହରେ ଚାଲାଣ ହେଉଥିଲେ ମଧ୍ୟ ପ୍ରଶାସନ କାହିଁକି ନୀରବ ରହୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅନ୍ୟପଟେ ଦଲାଲଙ୍କ ଉପରେ ପଦକ୍ଷେପ ନେଉ ନାହିଁ ସେନେଇ ଏହାର ପ୍ରତିବାଦରେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରାଯିବ ବୋଲି ଶ୍ରୀରାମ ସେନା ପକ୍ଷରୁ ଦାବି ହେବା ସହ ଗୋମାତାଙ୍କ ସୁରକ୍ଷା ନେଇ ଥାନାରେ ଲିଖିତ ଅଭିଯୋଗ କରିଛି । ସୂଚନା ଥାଉକି ଦୁଇ ଦିନ ତଳେ କିଛି ଗୋରୁ ଦଲାଲ ବେପାରୀ ମାନେ ଶହ ଶହ ଗୋମାତାଙ୍କୁ ୪୪ ଡିଗ୍ରୀ ଖରାରେ ୫୭ନମ୍ବର ଜାତୀୟ ରାଜପଥ ଦେଇ ଚଳାଇ ଚଳାଇ ନେଉଥିଲେ । କିନ୍ତୁ ସ୍ଥାନୀୟ ପ୍ରଶାସନ ହେଉ କି ପୋଲିସ ନୀରବ ଦ୍ରଷ୍ଟା ସାଜିଥିବା ବେଳେ କିଛି ଶ୍ରୀରାମ ସେନା ଦଳ ଗୋରୁ ଚାଲାଣ ହେଉଥିବା ଗୋରୁ ପଲଙ୍କୁ ଅଟକାଇ ଥିଲେ । ଏହା କେଉଁଠି କି ଚାଲାଣ ହେଉଛି, କିଏ ସେ ବେପାରୀ କିଛି କର୍ମଚାରୀଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଗୋରୁଙ୍କୁ ଘଡ଼ାଇ ବେପାରୀମାନେ ଚାଲିଯାଇଥିଲେ । କିନ୍ତୁ ଏହି ଜାତୀୟ ରାଜପଥ ଦେଇ ଦୈନିକ ଗୋରୁ ଯାଉଛନ୍ତି ଏପରିକି ହରଭଙ୍ଗା ଥାନା କୁମାରୀ ଦେଇ ଜଙ୍ଗଲ ମଧ୍ୟରେ ଚଳାଇ ଚଳାଇ ବାଣିଗୋଚ୍ଛା ନିକଟରେ ପହଁଚି ସେଠାରୁ ଟ୍ରକ ମାଧ୍ୟମରେ ନିଆଯାଉଛି । କିନ୍ତୁ ପୋଲିସ କିପରି ଏହାର ଖବର ରଖି ପାରୁ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ତେଣୁ ଆଗାମୀ ଦିନରେ ଏହି ଗୋରୁ ଚୋରା ଚାଲାଣକୁ ରୋକିବା ପାଇଁ ବୌଦ୍ଧ କେ ସିରିଆ ଜାଗୃତି ମଞ୍ଚ ଓଡିଶା ଓ ଶ୍ରୀରାମ ସେନା ମିଳିତ ଉଦ୍ୟମରେ ଗୋରୁ ଚାଲାଣ ରୋକିବା ପାଇଁ ଅଣ୍ଟା ଭିଡ଼ିବା ସହ ଗୋମାତାଙ୍କ ସୁରକ୍ଷା ନେଇ ପୁରୁଣାକଟକ ଥାନାରେ କେ ସିରିଆ ଜାଗୃତି ମଞ୍ଚ ଓଡିଶା ସଭାପତି ଅବିନାଶ ସାହୁଙ୍କ ସମେତ କର୍ମକର୍ତ୍ତା ମାନେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଅନ୍ୟପଟେ ଆଗାମୀ ଦିନରେ ପୋଲିସ ମଧ୍ୟ ଗୋରୁ ଚାଲାଣ ରୋକିବା କ୍ଷେତ୍ରରେ ସଜାଗ ରହିବାକୁ ସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Comments (0)
Add Comment