ଚମ୍ପୁଆ: ଚମ୍ପୁଆ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡରେ ଥିବା ଗୋଧୁଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଶ୍ରେଣୀ ଗୃହ ଅଭାବରୁ ବିଦ୍ୟାଳୟର ଛତ୍ରଛାତ୍ରୀ ମାନେ ବାରଣ୍ଡାରେ ବସି ଶିକ୍ଷା ଗ୍ରହଣ କରୁଥିଲେ ମଧ୍ୟ ବିଭାଗର ନଜର ଏହା ଉପରେ ପଡିପାରୁ ନାହିଁ । ରତ୍ନ ଗର୍ବା ଚମ୍ପୁଆ ସଦର ମହକୁମାରେ ଶିକ୍ଷା ବିଭାଗରେ ଏହି ବିକଳ ଚିତ୍ର ଅତି ଦୁଃଖଦାୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ପୋଷଣ କରିଛନ୍ତି । ସରକାର ଶିକ୍ଷାର ଉନ୍ନତି ପାଇଁ ଅପ୍ରାଣ ଚେଷ୍ଟା ଚଲାଇଥିବା ବେଳେ ବହୁ ବିଧି ଯୋଜନା ପ୍ରଣୟନ କରୁଛନ୍ତି । କିନ୍ତୁ ଏହି ବିଦ୍ୟାଳୟର ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅଭିଭାବକ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସୂଚନା ଅନୁସାରେ ଗୋଧୁଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୧୫୮ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରାୟ ୯୯ ଭାଗ ଛାତ୍ର ଛାତ୍ରୀ ଆଦିବାସୀ ଶ୍ରେଣୀର । ଛାତ୍ରଙ୍କ ପାଇଁ ଉଦ୍ଧିଷ୍ଟ ଶୌଚାଳୟ ଦୀର୍ଘ ଦିନରୁ ଭାଙ୍ଗି ଯାଇଥିବା ବେଳେ ରୋଷେଇ ଘର କଥା କହିଲେ ନସରେ । ଦୀର୍ଘ ୫ ବର୍ଷ ହେବ ଉକ୍ତ ରୋଷେଇ ଘରର ଟାଇଲ ଛପର ଗଳିପଡିଥିବା ବେଳେ ଅସ୍ୱାସ୍ଥ୍ୟକର ପରିସ୍ଥିତିରେ ବାହାର ପିଣ୍ଡାରେ ରୋଷେଇ କରାଯାଉଛି । ଅନେକ ସମୟରେ ଭଙ୍ଗା ଘରେ ମଧ୍ୟ ପିଲାଙ୍କୁ ବସାଇ ଶିକ୍ଷାଦାନ କରାଯାଉଛି । ଏହି ବାବଦରେ ଏସଏମସି କମିଟି ଓ ସ୍ଥାନୀୟ ଅଭିଭାବକ ମାନେ ପ୍ରଧାନଶିକ୍ଷକଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିବା ଜଣାଯାଇଛି । ଏହି ସମସ୍ୟା ବାବଦରେ ପ୍ରଧାନ ଶିକ୍ଷକ ଚମ୍ପୁଆ ଏନଏସିକୁ ଜଣାଇଥିବା ବେଳ ବ୍ଲକ ଶିକ୍ଷା ଅଧିକାରୀଙ୍କଠାରୁ ଅନୁମତି ପତ୍ର ଆଣନ୍ତୁ ଆମ୍ଭେ ତୁରନ୍ତ ଏହାର ସମାଧାନ କରିବୁ ବୋଲି ସୂଚନା ଦେଉଥିବା ଏନଏସି କର୍ତ୍ତୃପକ୍ଷ ଏକମାସ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଜଣାଯାଇଛି । ଏ ନେଇ ଚମ୍ପୁଆ ବ୍ଲକ ଶିକ୍ଷା ସହକାରୀ ଅଧିକାରୀ ନରେନ୍ଦ୍ର ନାଏକଙ୍କୁ ପଚାରିବାରୁ କହିଛନ୍ତି ଯେ ଆବଶ୍ୟକ ଶ୍ରେଣୀ ଗୃହ ଅଭାବରୁ ପିଲା ବାରଣ୍ଡାରେ ବସି ପାଠ ପଢୁଛନ୍ତି । ଆମ୍ଭେ ବିଭାଗ ପକ୍ଷରୁ ଚମ୍ପୁଆ ବିଜ୍ଞାପିତ ଅଂଚଳ ପରିଷଦକୁ ୧ ମାସ ପୂର୍ବରୁ ସମସ୍ୟାର ସମାଧାନ ପାଇଁ ଅବଗତ କରିସାରିଛୁ । ସେହିପରି ଚମ୍ପୁଆ ବିଜ୍ଞାପିତ ଅଂଚଳ ପରିଷଦର ସହକାରୀ ଯନ୍ତ୍ରୀ ସୁଧାକର ଦାସଙ୍କୁ ପଚାରିବାରୁ ସେ ଉକ୍ତ ଘଟଣା ବିଷୟରେ ଅବଗତ ଥିବାବେଳେ ନୂତନ ଶ୍ରେଣୀ ଗୃହ ପାଇଁ ଜିଲା ଖଣିଜ ପାଣ୍ଠିରୁ ଅନୁଦାନ ନିମନ୍ତେ ପ୍ରସ୍ତାବ ଦେବା ସହିତ ଗତ ଅଗଷ୍ଟ ମାସ ୨୫ ତାରିଖ ୨ ଗୋଟି ଶ୍ରେଣୀ ଗୃହନିର୍ମାଣ ନିମନ୍ତେ ପ୍ରାୟ ୩୦ ଲକ୍ଷ ଟଙ୍କାର ଅଟକଳ କରାଯାଇ ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ବୋଲି ମତ ଦେବା ସହ ଅନୁଦାନ ଆସିଲେ ତୁରନ୍ତ ଏଥିପ୍ରତି ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ।