ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ମହାପ୍ରଭୁଙ୍କ ନିକଟରେ ଅର୍ପଣ ହେଲା ନିମନ୍ତ୍ରଣ ପତ୍ର

ପୁରୀ : ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ତେଣୁ ଏ ନେଇ ଆଜି ଶୁଭ ବେଳାରେ ବାହାରିଲା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିମନ୍ତ୍ରଣ ପତ୍ର । ଶ୍ରୀମନ୍ଦିର ପରିକ୍ରମାର ଲୋକାର୍ପଣ ସମ୍ପର୍କିତ ନିମନ୍ତ୍ରଣ ପତ୍ର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ବାହାରି ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ ହୋଇଛି।। ମହାପ୍ରଭୁଙ୍କ ପରେ ପ୍ରଭୁ ନୃସିଂହ,ମା ବିମଳା,ମା ମଙ୍ଗଳା ଓ ଶେଷରେ ପଞ୍ଚୁ ପାଣ୍ଡବଙ୍କୁ ନିମନ୍ତ୍ରଣ ହୋଇଥିଲା । ୨୪ରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହେବ ନିମନ୍ତ୍ରଣ । ଏହାପରେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ପ୍ରାୟ ୧୦୦ ମନ୍ଦିରକୁ ଯିବ ନିମନ୍ତ୍ରଣ ପତ୍ର । ଯଜମାନ ଭାବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯଜ୍ଞର ପୂର୍ଣ୍ଣାହୁତି ଦେବେ । ଏଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଷ୍ଠା ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଦେଶ ବିଦେଶରେ ରହିଥିବା ଜଗନ୍ନାଥ ମନ୍ଦିର ଓ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯିବ । ଶ୍ରୀମନ୍ଦିର ସହ ଜଡିତ ନେପାଳ ରାଜାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ । ଯାହାକୁ ନେଇ ଏକ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ପ୍ରସ୍ତୁତ କରାଯାଉଛି ।
ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଗଜପତି ମହାରାଜ ଯେଭଳି ଯଜମାନ ହିସାବରେ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଠିକ୍‌ ସେହିପରି ପ୍ରତିଷ୍ଠା ଉତ୍ସବରେ ଯଜ୍ଞରେ ପୂର୍ଣ୍ଣାହୁତି ଦେଇ ଲୋକାର୍ପଣ କରିବେ । ମହାପ୍ରଭୁଙ୍କର ଏହି ମହାନ କାର୍ଯ୍ୟ ପାଇଁ ପ୍ରସ୍ତୁତି ଯୋରସୋରରେ ଆଗେଇ ଚାଲିଛି । ତେବେ ଏହି ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାକୁ ଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଓ ଦେଶ ବାହାରୁ ବହୁ ଅତିଥିଙ୍କୁ ନିମନ୍ତ୍ରଣ କରାଯିବ । ଏମିତିକି ଶ୍ରୀମନ୍ଦିର ସହ ଜଡିତ ନେପାଳ ରାଜାଙ୍କୁ ନିମନ୍ତ୍ରଣ କରାଯିବ । ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିର, ପ୍ରସିଦ୍ଧ ମନ୍ଦିର, ଚାରି ଧାମ, ଚାରି ଶଂକରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଯିବ।। ତେବେ ନିମନ୍ତ୍ରଣ ପତ୍ର ସହିତ ଏକ ସ୍ୱତନ୍ତ୍ର କିଟ୍‌ ଦିଆଯିବ । ଓଡିଆ, ଇଂରାଜୀ ଓ ହିନ୍ଦୀ ଆଦି ତିନୋଟି ଭାଷାରେ ରହିବ । ଏଥିରେ ପରିକ୍ରମା ପ୍ରକଳ୍ପକୁ ନେଇ ତଥ୍ୟ ସମ୍ବଳିତ ଇନଫର୍ମେସନ ବ୍ରୋଚର ରହିବ । ଏଥିରେ ପରିକ୍ରମା ପ୍ରକଳ୍ପ କଣ, ଭକ୍ତ ଓ ଦର୍ଶନାର୍ଥୀ ମାନେ କି ସୁବିଧା ପାଇବେ ସେ ସମ୍ପର୍କରେ ଅବଗତ ହୋଇ ପାରିବେ । ତେବେ ନିମନ୍ତ୍ରଣ ପତ୍ରରେ ଶ୍ରୀମନ୍ଦିରର ଓଲାଗି ହୋଇଥିବା ବାନା ଓ ମହାପ୍ରଭୁଙ୍କ ପ୍ରସାଦ ଆଦି କିଟ୍‌ରେ ରହିବ । ଆସନ୍ତା କାଲି ଠାରୁ ନିମନ୍ତ୍ରଣ ପତ୍ର ବାଣ୍ଟିବା ଆରମ୍ଭ ହେବ ।

Comments (0)
Add Comment