ପଞ୍ଚାୟତିରାଜ ଜନପ୍ରତିନିଧିଙ୍କୁ ନେଇ ମିଲେଟସ୍‌ ପ୍ରୋତ୍ସାହନ କାର୍ଯ୍ୟକ୍ରମ

ନନ୍ଦାହାଣ୍ଡି : ଆଜି ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦିନ ମିଲେଟସ ପ୍ରୋତ୍ସାହନ ଓ ପଞ୍ଚାୟତ ରାଜ ସଂସ୍ଥାନର ଜନପ୍ରତିନିଧିଙ୍କ ମାଧ୍ୟମରେ ମିଲେଟସ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚାଷୀ ଅଧିକରୁ ଅଧିକ ମିଲେଟସ ଚାଷ କରିବା ସହ ନିତିଦିନ ମିଲେଟସ ଜାତୀୟ ଖାଦ୍ୟ ବ୍ୟବହାର କରିବା ପାଇଁ ପ୍ରତି ଲୋକ ନିକଟରେ ପହଞ୍ଚାଇବା ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ବ୍ଲକର ସଫଳ ମାଣ୍ଡିଆ ଚାଷୀ ଭାବେ ସମନ୍ଧୁ ପୂଜାରୀଙ୍କୁ ମାନପତ୍ର ସହ ଫଳକ ପ୍ରଦାନ କରାଯାଇଥିଲା । ତତ୍‌ ସଙ୍ଗେ ସଙ୍ଗେ ଓଡ଼ିଶା ମିଲେଟସ୍‌ ମିଶନର ବିଭିନ୍ନ କାର୍ଯକ୍ରମକୁ ଦଳେଇଗୁଡ଼ା ବୀର ହନୁମାନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଫଳ ରୂପାୟନ କରିଥିବାରୁ ବ୍ଲକର ଶ୍ରେଷ୍ଠ ସ୍ୱୟଂ ସହାୟିକା ଗୋଷ୍ଠୀ ଭାବେ ମାନପତ୍ର ସହ ଫଳକ ପ୍ରଦାନ କରାଯାଇଥିଲା । ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବ୍ଲକ ସହକାରୀ କୃଷି ଅଧିକାରୀ ଅମିତ କୁମାର ମଲ୍ଲିକ ଯୋଗ ଦେଇ ମିଲେଟସ୍‌ ଚାଷର ଉପାଦେୟତା ବିଷୟରେ ବୁଝାଇ ଥିଲେ । ଆୟୋଜକ ଦୋସ୍ତ ଏନଜିଓ ର ମୁଖ୍ୟ ନିର୍ଦ୍ଦେଶକ ନବୀନ ସାଧୁ ବ୍ଲକରେ କରିଥିବା କାର୍ଯ୍ୟକ୍ରମ ଓ ଉପଲବ୍ଧି ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ଼ ସଭ୍ୟ ତଥା ମିଶନ ଶକ୍ତି ଓ ଅଙ୍ଗନୱାଡ଼ି ବିଭାଗର କର୍ମଚାରୀ ମାନେ ଆଲୋଚନାରେ ଭାଗ ନେଇଥିଲେ । ବୈଠକକୁ ଓଏମଏମ ର ବ୍ଲକ ସଂଯୋଜକ ଜାକୋବ ବେନ୍ୟା ସଞ୍ଚାଳନ କରିଥିବା ବେଳେ ସହ ସଂଯୋଜକ ମନୋଜ ସାଧୁ, ଜି.ଭବାନୀ ଓ ସମସ୍ତ ସିଆରପି ସହଯୋଗ କରିଥିଲେ । ପ୍ରତ୍ୟେକ ପଞ୍ଚାୟତରୁ ମିଲେଟସ୍‌ ଚାଷୀ ଆଗ୍ରହ ସହକାରେ ଯୋଗ ଦେଇଥିଲେ । ଏତଦବ୍ୟତୀତ ଡଙ୍ଗର ଭେଜା ସାପ୍ତାହିକ ହାଟ ମଙ୍ଗଳବାର ଦିନ ମିଲେଟସ୍‌ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏଠାରେ ମିଲେଟସ୍‌ ଦ୍ୱାରା ନିର୍ମିତ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରୀ କରାଯାଇଥିଲା । ଏହି ମେଳାରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମାଝୀ ଓ ବିଡିଓ ଶ୍ରୀ ସାହୁ ପରିଦର୍ଶନ କରି ମିଲେଟସ୍‌ ଖାଦ୍ୟକୁ ପ୍ରଶଂସା କରିଥିଲେ ।

Comments (0)
Add Comment