ଚମ୍ପୁଆ : ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଆଜି ଅପରାହ୍ଣରେ ଚମ୍ପୁଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ପ୍ରଥମେ ଶ୍ରୀ ପଟ୍ଟନାୟକ ଚମ୍ପୁଆ ସ୍ଥିତ ମହତାବ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇ ବିଦ୍ୟାଳୟର ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନ ପ୍ରୟୋଗଶାଳା ଓ କମ୍ପ୍ୟୁଟର ଶ୍ରେଣୀଗୃହକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ । ସେହିପରି ବିଜ୍ଞାନ ପ୍ରୟୋଗଶାଳାର ଉପକାରିତା ବିଷୟରେ ବୁଝିବା ସହ ଭଲ ପାଠ ପଢି ସୁନାମ ଆଣିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ଗୁଇଁ ତାଙ୍କୁ ସ୍କୁଲ ବାବଦରେ ଅଧିକ ସୂଚନା ପ୍ରଦାନ କରିଥିଲେ ।
ପରେ ଶ୍ରୀ ପଟ୍ଟନାୟକ ଗାନ୍ଧୀ ଛକ ସ୍ଥିତ ଅବଦୁଲ୍ଲା ଖାଁଙ୍କ ଦ୍ୱାରା ପରିଚାଳିତ ମୋ ସେବା କେନ୍ଦ୍ରକୁ ପରିଦର୍ଶନରେ ଯାଇ ସରକାରଙ୍କ ସମସ୍ତ ଯୋଜନାର ସୁବିଧା ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଲୋକଙ୍କ ଅସୁବିଧାର ତ୍ୱରିତ ସମାଧାନ କରିବା ନିମନ୍ତେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।
ଏହି ଅବସରେ ଜିଲ୍ଲା ଇ- ଗଭର୍ଣ୍ଣାନ୍ସ ମ୍ୟନେଜର ଭ୍ୟାଲେଣ୍ଟିନା ପୋଥାଳ, ଚମ୍ପୁଆ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ନାଏକ ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଉପସ୍ଥିତ ଥିଲେ ।