ପୁରୀ-ରଥଯାତ୍ରାରେ ଶୃଙ୍ଖଳିତ ରଥଟଣା ଓ ଶ୍ରୀଜିଉଙ୍କ ପହଣ୍ଡି ବିଜେ କିଭଳି ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହୋଇ ପାରିବ ସେ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ଅଧିକାରୀ, ସେବାୟତ ମାନେ ଉପସ୍ଥିତ ଥିଲେ। ବୈଠକ ପରେ ବରିଷ୍ଠ ଦାଇତାପତି ସେବକ ରାମଚନ୍ଦ୍ର ଦାସ ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଗାମୀ ରଥ ଯାତ୍ରାରେ କିଭଳି ରଥଟଣା ଶୃଙ୍ଖଳିତ ଭାବରେ ହୋଇପାରିବ, କେତେ ସେବାୟତ ରଥ ଉପରେ ରହିବେ, ରଥ ଟଣା ପାଇଁ କଣ ନୀତି ନିୟମ ରହିବ ନେଇ ଆଲୋଚୋନା ହୋଇଥିଲା। ତେବେ ରଥ ଉପରେ ସେବା ଥିବା ସଂପୃକ୍ତ ସେବାୟତ ମାନେ କେବଳ ରଥ ଉପରେ ରହିପାରିବେ। ପୁରୀ ଜିଲାପାଳ, ଏସପି, ଏଡିଏମ ନିଜେ ରଥ ଉପରେ ଥିବା ଅଣ ସେବାୟତଙ୍କୁ ଚିହ୍ନଟ କରିବେ। ଯିଏ ବି ନିୟମ ଉଲଘଂନ କରିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବ ପ୍ରଶାସନ।
ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଚଳିତ ରଥଯାତ୍ରାରେ କିଭଳି ରଥ ଟଣା ଓ ମହାପ୍ରଭୁଙ୍କ ପହଣ୍ଡିରେ ଶୃଙ୍ଖଳା ରହିପାରିବ ସେ ନେଇ ଆଲୋଚୋନା ହୋଇଥିଲା। ଏହି ବୈଠକ ରେ ସେବାୟତ, ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ରଥଟଣା କିଭଳି ଠିକସମୟ ଅନୁଯାୟୀ ହୋଇ ପାରିବ, କଣ ସବୁ ଗାଇଡ ଲାଇନ ଅଛି ତାହା ସବିଶେଷ ଆଲୋଚୋନା ହୋଇଥିଲା। ତେବେ ମହାପ୍ରଭୁଙ୍କ ପହଣ୍ଡି ଓ ରଥ ଟଣା କୁ ଶୃଙ୍ଖଳିତ କରିବା ପାଇଁ ରଥ ଉପରେ କୌଣସି ସେବାୟତ ମୋବାଇଲ ନେବା ନିଷିଦ୍ଧ କରାଯାଇଛି। ଏହାକୁ ଉଲଘଂନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗତ ସ୍ନାନ ଯାତ୍ରା ରେ ଯେଉଁ ସେବାୟତ ମାନେ ସ୍ନାନ ମଣ୍ଡପ ରେ ମୋବାଇଲ ନେଇଥିଲେ ସେମାନଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ନୋଟିସ ଦିଆଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ନିୟମ ମଧ୍ୟ ରଥ ଯାତ୍ରା ପାଇଁ ଲାଗୁ ହେବ। ରଥ ଉପରେ ଅଣ ସେବାୟତ ଚଢିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପହଣ୍ଡି ନୀତି କୁ ଶୃଙ୍ଖଳିତ କରିବା ପାଇଁ ପହଣ୍ଡି ଦଳ ଗଠନ ହୋଇଚି। ସେମାନେ କିଭଳି ପହଣ୍ଡି କୁ ଶୃଙ୍ଖଳିତ ଭାବେ କରିବେ ସେ ନେଇ ସେବାୟତ ଙ୍କ ସହ ଆଲୋଚନା ହୋଇଚି।