ଜଙ୍ଗଲରୁ ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ଜବତ, ପୋଲିସକୁ ଦେଖି ମାଫିଆ ଚମ୍ପଟ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ବେଆଇନ୍‌ ଗଞ୍ଜେଇ ଚୋରା ଚାଲାଣ ଥମିବାର ନାଁ ନେଉନି । ବାଲିଗୁଡ଼ା ଥାନା ଅଞ୍ଚଳରେ ଚୋରା ଚାଲାଣକୁ ରୋକିବା,ବେଆଇନ୍‌ ଗଞ୍ଜେଇ ଜବତ କରିବା ସହ ମାଫିଆଙ୍କୁ ଗିରଫ କରିବାକୁ ଅଣ୍ଟା ଭିଡ଼ିଛି ପୋଲିସ୍‌ । ପୁଣି ଥରେ ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ଜବତ କରିଛି ପୋଲିସ୍‌ । ସୂଚନା ପ୍ରକାରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ଗ୍ରାମ ପଞ୍ଚାୟତର ଘୋଡ଼ାବାଲି ଗାଁ ନିକଟସ୍ଥ ଜଙ୍ଗଲରେ ଚୋରା ଚାଲାଣ ପାଇଁ ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ଗଚ୍ଛିତ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପୋଲିସ୍‌ । ସୂଚନା ଆଧାରରେ ଘଟଣାସ୍ଥଳରେ ପୋଲିସ ପହଁଚିବା ବେଳେ ପୋଲିସକୁ ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଚାରିଜଣ ମାଫିଆ । ଘଟଣାସ୍ଥଳରୁ ୪୦୨ କେଜି ୨୮୦ ଗ୍ରାମ୍‌ ଓଜନର ବେଆଇନ୍‌ ଗଞ୍ଜେଇ ଜବତ କରିଛି ପୋଲିସ୍‌ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଉଛି । ଏନେଇ ବାଲିଗୁଡ଼ା ଥାନା କେସ୍‌ ନଂ ୧୪୧/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ୍‌ ।

Comments (0)
Add Comment