ଆଦର୍ଶ ବିଦ୍ୟାଳୟରେ ଶ୍ରମିକଙ୍କଠୁ ଚାନ୍ଦା ମାଗିବା ଘଟଣା, ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଗଣିଆ: ଗଣିଆ ଥାନା ଅନ୍ତର୍ଗତ କେନ୍ଦ୍ରଆବିଡ଼ାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଗତକାଲି ବିଳମ୍ବିତ ରାତ୍ରୀରେ ମଧ୍ୟଖଣ୍ଡ ଗ୍ରାମର ୪ ଜଣ ବ୍ୟକ୍ତି ମଦପିଇ ସେଠାରେ ଥିବା ଶ୍ରମିକମାନଙ୍କ ଠାରୁ ଚାନ୍ଦା ମାଗିବା ସହିତ ଗଣ୍ଡଗୋଳ କରିଥିଲେ । ଏପରିକି ସଂଜୟ କୁମାର ରାଉତ ନାମକ ଜଣେ ଶ୍ରମିକକୁ ଛୁରୀ ମାରିବା ସହିତ ମାଡ଼ପିଟ କରିଥିବା ନେଇ ଗଣିଆ ଥାନାକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ । ଖବର ପାଇ ଗଣିଆ ଥାନା ଅଧିକାରୀ ବିନୟରଂଜନ ପରିଡ଼ା, ଏଏସଆଇ ପ୍ରମୋଦ କୁମାର ନନ୍ଦ, ଏଏସଆଇ ଝରଣା ସାଇଁ, ଏଏସଆଇ ମନୋରଂଜନ ପ୍ରଧାନ ରାତି ୧୨ ଘଂଟିକା ସମୟରେ ଘଟଣାସ୍ଥଳରେ ପଂହଚିଥିଲେ । ପୋଲିସ ଗାଡ଼ିକୁ ଦେଖି ଘଟଣା ସ୍ଥଳରୁ ୨ ଜଣ ଚମ୍ପଟ ମାରିଥିବା ବେଳେ ଅନ୍ୟ ୨ ଜଣଙ୍କୁ ପୁଲିସ ଧରିବାରେ ସକ୍ଷମ ହେବା ସହ ଥାନାକୁ ଆଣିଥିଲେ । ସେ ଦୁଇଜଣ ହେଲେ ମଧ୍ୟଖଣ୍ଡ ଡିମିରିସାହି ଗ୍ରାମର ରିତେଶ ପ୍ରଧାନ (୨୨) ଓ ମଧ୍ୟଖଣ୍ଡ କଇମସାହିର ଚନ୍ଦନ ସାଇଁ (୨୩) ।ସେମାନଙ୍କୁ ଗଣିଆ ଥାନାରେ ପଚରା ଉଚୁରା ପରେ ସେମାନେ ମଦପିଇ ଏଭଳି କାଣ୍ଡ ଘଟାଇଥିବା ପୋଲିସ ଆଗରେ ରାଜି ହୋଇଥିଲେ । ତାଙ୍କଠାରୁ ଛୁରୀ,ମୋବାଇଲ, ଏକ ପଲସର ବାଇକ ଜବତ କରାଯାଇଥିବାବେଳେ ଗଣିଆ ଥାନା ପକ୍ଷରୁ ୯୨/୨୩ରେ ଏକ ମାମଲା ରୁଜୁ କରି ୩୪୧, ୨୯୪,୩୨୪, ୩୭୯, ୩୮୭, ୫୦୬, ୩୪ ଆଇପିସି ଦଫାରେ ଗୁରୁବାର ଅପରାହ୍ନରେ ଦଶପଲ୍ଲା କୋର୍ଟକୁ ଚାଲାଣ କରିଥିବା ଗଣିଆ ଥାନା ଅଧିକାରୀ ଶ୍ରୀଯୁକ୍ତ ପରିଡ଼ା ସୂଚନା ପ୍ରଦାନ କରିଛନ୍ତି ।

Comments (0)
Add Comment