ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେବେ ମାଁ ସମଲେଶ୍ୱରୀ

ସମ୍ବଲପୁର: ଶନିବାର ଦିନ ଅମାବାସ୍ୟା ତିଥି ମହାଳୟା ରୂପେ ପାଳନ କରାଯାଉଛି । ଏହି ଅବସରରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେବାର ପରମ୍ପରା ରହିଛି । ଏ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ସଞ୍ଜୟ କୁମାର ବାବୁ ଜଣାଇଛନ୍ତି ଯେ ଏଥିପାଇଁ ପ୍ରସ୍ତୁତି ପର୍ବ ସମ୍ପୂର୍ଣ୍ଣ କରାଯାଇଛି । ଏହି ସମୃଦ୍ଧ ପରମ୍ପରାକୁ ପାଳନ କରି ଏ ଅବସରରେ ମାଁ ସମଲେଶ୍ୱରୀ ଓ ମନ୍ଦିର ସ୍ଥିତ ପାର୍ଶ୍ୱ ଦେବଦେବୀଙ୍କ ପାଇଁ ଧବଳ ବସ୍ତ୍ର ପରିଧାନର ବ୍ୟବସ୍ଥା ରହିଛି । ସେହିପରି ସମସ୍ତ ପୂଜକ ମାନଙ୍କ ପାଇଁ ଧଳା ବସ୍ତ୍ରର ବ୍ୟବସ୍ଥା ମାଁ ସମଲେଶ୍ୱରୀ ମହିମା ପ୍ରଚାର ସମିତି ପକ୍ଷରୁ କରାଯାଇଛି । ମହାଳୟା ଉପଲକ୍ଷେ ସମଲେଶ୍ୱରୀ ମନ୍ଦିରରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥାଏ । ଏଣୁ ଏହି ଅବସରରେ ବିଧି ଓ ବ୍ୟବସ୍ଥା ସହିତ ଶାନ୍ତି ଶୃଙ୍ଖଳା ଅବ୍ୟାହତ ରଖିବା ପାଇଁ ଯଥେଷ୍ଟ ସଂଖ୍ୟକ ପୁଲିସ ବନ୍ଦୋବସ୍ତ କରାଯାଇଛି । ଏହି ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁ ମାଁଙ୍କ ଦର୍ଶନ କରିବା ସମୟରେ କୌଣସି ପୂଜା ସାମଗ୍ରୀ ନେଇଯିବାକୁ ମଧ୍ୟ ବାରଣ କରାଯାଇଛି । ସେମାନଙ୍କ ନିର୍ବିଘ୍ନ ଯିବାଆସିବା ସୁନିଶ୍ଚିତ କରିବା ପାଇଁ ଟ୍ରାଫିକ ବ୍ୟବସ୍ଥା ନିୟମିତ କରାଯାଇଛି ଓ ମନ୍ଦିର ସମ୍ମୁଖସ୍ଥ ମାର୍ଗରେ କୌଣସି ପ୍ରକାର ଯାନବାହାନ ଯାଆଆସ କରିବା ପାଇଁ ବାରଣ କରାଯାଇଛି ।

Comments (0)
Add Comment