ଚମ୍ପୁଆ: ଚମ୍ପୁଆ ଥାନା ରିମୁଳି ଫାଣ୍ଡି ଅନ୍ତର୍ଗତ ପର୍ଶଳା ନିକଟରେ ପଛପଟୁ ଏକ ୧୪ ଚକିଆ ଟ୍ରକ ଧକ୍କା ଦେବା ଫଳରେ ଅନ୍ୟ ଏକ ଗାଡ଼ିର ଡ଼୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ହାଇୱା ଗାଡ଼ିଟି ଅନଲୋଡ କରି କେନ୍ଦୁଝର ଅଭିମୁଖେ ଯାଉଥିବା ସମୟରେ ପର୍ଶଳା ନିକଟରେ ଗାଡ଼ିଟି ଖରାପ ହୋଇଥିଲା । ମିସ୍ତ୍ରୀ ଗାଡି ତଳେ କାମ କରୁଥିବା ବେଳେ ଗାଡ଼ିର ଡ଼୍ରାଇଭର ରାସ୍ତା ଉପରେ ଠିଆ ହୋଇ କାମ ଦେଖୁଥିଲେ ।ଏହି ସମୟରେ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ୧୪ଚକିଆ ଲୋଡ ଗାଡି କାମ ଦେଖୁଥିବା ହାଇୱା ଗାଡ଼ିର ଡ଼୍ରାଇଭରକୁ ପଛପଟୁ ଧକ୍କା ଦେଇଥିଲା ।ଫଳରେ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।ମୃତ ଡ୍ରାଇଭରଙ୍କ ନାମ ତ୍ରିଲୋଚନ ସାହୁ(୫୯),ପି-ବିଶ୍ୱନାଥ ସାହୁ, କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୁରର ବାସିନ୍ଦା ବୋଲି ଜଣାପଡିଛି । ମିସ୍ତ୍ରୀ ଜଣକ ମଧ୍ୟ ଆହତ ହୋଇଥିବା ଜଣାପଡିଛି ।୧୪ଚକିଆ ଗାଡ଼ିର ମାଲିକ ଆନନ୍ଦପୁରର ରମାକାନ୍ତ ନାୟକ ବୋଲି ଜଣାପଡିଛି । ସେହିପରି ଚମ୍ପୁଆ ମୟୁରଭଞ୍ଜ ସୀମାନ୍ତ ବୈତରଣୀ ପୋଲ ନିକଟରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାର ନିମାପୁର ନିକଟସ୍ଥ ଭୀମପୁର ଛକରେ ଥିବା ହାଇଟେକ୍ ପବ୍ଲିକ ସ୍କୁଲ ପାଖରେ ରହୁଥିବା ପ୍ରଦୀପ ପଣ୍ଡା ଦୁର୍ଘଟଣାର ଶୀକାର ହୋଇ ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟ ଏକ ଦୁର୍ଘଟଣାରେ
ବାଇକରୁ ଖସିପଡ଼ି ଝାଡ଼ଖଣ୍ଡ ରାଜ୍ୟପଶ୍ଚିମ ସିଂହଭୂମି ଜିଲ୍ଲା ଅନ୍ତର୍ଗତ ମାଣିକପୁର ଗାଁର ଶ୍ରବଣ ପ୍ରଧାନଙ୍କ ସ୍ତ୍ରୀ ସାଗରିକା ଗିରି ଗୁରୁତର ଆହତ ହୋଇ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୃଥକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦୁଇ ଜଣଙ୍କର ସ୍ଥାନୀୟ ଡ଼ାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଛି ।