ପାଟଣାଗଡ଼ : ପାଟଣାଗଡ଼ ବ୍ଳକ ଛକରେ ପର୍ଶୁରାମ ଓ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ହିନ୍ଦୁସମାଜ ପକ୍ଷରୁ ପ୍ରସ୍ତାବିତ ପର୍ଶୁରାମ ମୂର୍ତ୍ତି ସ୍ଥାପନ ଦାବିରେ ଦୀର୍ଘ ଦିନ ଧରି ପର୍ଶୁରାମ ଛକରେ ଧାରଣା ଦେବା ସହ ବନ୍ଦ ପାଳନ ମଧ୍ୟ କରାଯାଇଥିଲା । ଆଜି ହିନ୍ଦୁ ସମାଜ ଓ ପ୍ରଶାସନର ବୁଝାମଣାରେ ଧାରଣା ପ୍ରତ୍ୟାହୃତ ହୋଇଛି । ଏହାର ସମାଧାନ ନେଇ ଗତ ୫ ତାରିଖ ଦିନ ବଲାଙ୍ଗିର ସର୍କିଟ ହାଉସ ଠାରେ ହିନ୍ଦୁଜାଗରଣ ମଞ୍ଚ ଓ ପୂର୍ବତନ ଲୋକସଭା ସାଂସଦ କଳିକେଶନାରାରଣ ସିଂ ଦେଓ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ବିଜେଡି ସାଂଗଠନିକ ପ୍ରଣବ କୁମାର ଦାସ ପ୍ରମୁଖଙ୍କ ସହ ମୂର୍ତ୍ତି ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲେ । ଏଥିରେ ଉକ୍ତ ଛକର ଏକ କୋଣ ସ୍ଥାନରେ ଉଭୟ ଭଗବାନ ପର୍ଶୁରାମ ଓ ବିଜୁବାବୁଙ୍କ ମୂର୍ତ୍ତି ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏହି ବୈଠକରେ ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ଉପ ସଚେତକ ବିଧାୟକ ସରୋଜ କୁମାର ମେହେର ଅନୁପସ୍ଥିତ ଥିଲେ । ଗତ ଅଗଷ୍ଟ ୬ରେ ବଲାଙ୍ଗିର ରୁଗୁଡିପଡା ସ୍ଥିତ ହୋଟେଲ ପାର୍କଲେଣ୍ଡ ଠାରେ ଦ୍ୱିତୀୟ ବୈଠକରେ ବିଧାୟକ ସରୋଜ କୁମାର ମେହେର ଉପସ୍ଥିତିରେ ବିଜେଡି ସାଂଗଠନିକ ସଂପାଦକ ଶ୍ରୀ ଦାସ ଛକର ପଛପଟରେ ଭଗବାନ ପର୍ଶୁରାମ ଓ ବିଜୁବାବୁଙ୍କ ମୂର୍ତ୍ତି ସ୍ଥାପନ କରିବାକୁ କହିଥିବା ବେଳେ ବିଧାୟକ ଶ୍ରୀ ମେହେର ସହମତି ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମ ଗତକାଲି ଅଗଷ୍ଟ ଜିଲ୍ଲାପାଳଙ୍କ କୋର୍ଟକୁ ହିନ୍ଦୁ ସମାଜର ପ୍ରତିନିଧି ,ପାଟଣାଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଥାନା ଅଧିକାରୀ,ଏନଏସି ଅଧ୍ୟକ୍ଷା, ଉପାଧ୍ୟକ୍ଷ ,କାର୍ଯ୍ୟନିବାହୀ ଅଧିକାରୀ ପ୍ରମୁଖଙ୍କୁ ନେଇ ଏକ ଆଲୋଚନା କରାଯାଇଥିଲା । ଜିଲ୍ଲାପାଳ ଚଞ୍ଚଳ ରଣା ପର୍ଶୁରାମ ଓ ବିଜୁବାବୁଙ୍କ ମୂର୍ତ୍ତିଙ୍କୁ ଛକର ଗୋଟିଏ କୋଣରେ ବସାଇବାକୁ ଏନଏସିକୁ ନିର୍ଦ୍ଦେଶ ଦେଇ ହିନ୍ଦୁ ସମାଜ ଭାବବେଗକୁ ସମ୍ମାନ ଜଣାଇ ଓ ଲୋକଙ୍କ ସୁବିଧାକୁ ଦୃଷ୍ଟିକୁ ନଜରରେ ରଖି କାଉନସିଲରେ ଏକ ରେଜୁଲେସନ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସାଂଗଠନିକ ପ୍ରଣବ ଦାସ ଓ ଜିଲ୍ଲାପାଳଙ୍କ ପ୍ରତିଶୃତି ନିଷ୍ପତ୍ତିକୁ ବିଶ୍ୱାସ ସହ ଗ୍ରହଣ କରି ହିନ୍ଦୁସମାଜ ପକ୍ଷରୁ ଦିଆଯାଇଥିବା ଧାରଣାକୁ ସ୍ଥଗିତ ରଖାଯାଇଥିବା ନେଇ ଆଜି ହିନ୍ଦୁ ସମାଜ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନ ମାଗିଥିବା ୨ ମାସ ମଧ୍ୟରେ ଯଦି ଉଭୟ ମୂର୍ତ୍ତିକୁ ବସା ନ ଯାଏ ତେବେ ପୁଣି ଧାରଣାକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି । ପୂର୍ବରୁ ପୂଜା ପାଉଥିବା ପର୍ଶୁରାମଙ୍କ ଫଟୋକୁ ହିନ୍ଦୁସମାଜ ଓ ପ୍ରଶାସନଙ୍କ ଉଭୟ ଉପସ୍ଥିତିରେ ଆଜି ପୂଜାର୍ଚ୍ଚନା ସହ ଖୋଲ ତାଲ ମୃଦୁଙ୍ଗ ଧ୍ୱନୀ ବଳଦେବ ଜୀଉ ମନ୍ଦିରକୁ ନିଆଯାଇଥିଲା । ହିନ୍ଦୁ ସମାଜ ପକ୍ଷରୁ ପ୍ରଭାତ ଯୋଷୀ, ଓପ୍ରକାଶ ଯୋଷୀ, ମନ୍ମୟଦାସ, ବିଶ୍ୱଜିତ ହୋତା, ସୁଶୀଳ କୁମାର ଗୁରୁ ,ବଣ୍ଟି ଦାସ, ସୁଶାନ୍ତ ପାତ୍ର,ଡମ୍ବରୁ ପାଣିଗ୍ରାହୀ, ନରହରି ହୋତା, ଆନ୍ଦନ ଯୋଷୀ, ମନା ପାଣିଗ୍ରାହୀ, ମୁନା ଠାକୁର ପ୍ରମୁଖ ଉପସ୍ଥିତ ଥିବା ବେଳେ ପ୍ରଶାସନ ପକ୍ଷରୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରହରି ମହନ୍ତ, ଅଧ୍ୟକ୍ଷା ମାନସୀ ବିଶ୍ୱାଳ, ତହସିଲଦାର ଲକ୍ଷ୍ମଣ ମାଝୀ, ଆଇଆଇସି ବ୍ରଜକିଶୋର ପଣ୍ଡା ଉପସ୍ଥିତ ଥିଲେ ।