ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ୧୨ ନଂ.ୱାର୍ଡ଼ରେ ଅବସ୍ଥିତ ଟ୍ରେଜେରି କଲୋନୀ । ଏହି କଲୋନୀ ବାଲିଗୁଡା ଅଞ୍ଚଳର ସର୍ବ ପୁରାତନ କଲୋନୀ ଭାବେ ପରିଚିତ । ଉକ୍ତ ରାସ୍ତା ବର୍ତ୍ତମାନ ସମ୍ପୂର୍ଣ୍ଣ ଖାଲ ଖମାରେ ଭରି ହୋଇ ରହିଛି । ଫଳରେ ଯାତାୟତ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ମୁଖ୍ୟତଃ ଏହି ରାସ୍ତା ଦେଇ ଆର.ଆଇ. କାର୍ଯ୍ୟାଳୟ, ଟ୍ରେଜେରି କାର୍ଯ୍ୟାଳୟ, ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଭଳି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଓ ବେସରକାରୀ କ୍ୱାର୍ଟର୍ସ ରହିଥିଲେ ମଧ୍ୟ ପ୍ରଶାସନର ଏହି ରାସ୍ତା ପ୍ରତି ଦୃଷ୍ଟି ପଡୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହି ରାସ୍ତା ଦେଇ ୧୨ ଓ ୧୩ ନଂ. ୱାର୍ଡ଼ର ସମସ୍ତ ଜନସାଧାରଣ ଓ ବିଶେଷ କରି ରାସନକାର୍ଡ ହିତାଧିକାରୀମାନେ ଥାନା ସମ୍ମୁଖରେ ଥିବା ଲ୍ୟାମ୍ପକୁ ପ୍ରତ୍ୟେକ ମାସରେ ଏକ ଟଙ୍କିଆ ଚାଉଳ ଆଣିବା ସମୟରେ ଝୁଣ୍ଟି ପଡ଼ି ଆହତ ହେଉଥିବାର ବହୁ ନଜିର ରହିଛି । ଏଣୁ ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ରାସ୍ତା ମରାମତି କରିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ ଏନଏସି ଜେ.ଇ. କେଦାର ନାଥ ଚୌଧୁରୀଙ୍କୁ ପଚାରିବାରୁ ସେ କହିଲେ ଯେ, ତାହା ଆମ ନଜରକୁ ଆସିଛି, ସର୍ଭେ କରାଯାଇଛି, ଏଣୁ ଉକ୍ତ ରାସ୍ତା ଖୁବ ଶୀଘ୍ର ମରାମତି କରାଯିବ ।