ଉପଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗର ଚଢାଉ,ଜବତ ହେଲା ୬୧ଟି ଘରୋଇ ଗ୍ୟାସ୍‌ ସିଲିଣ୍ଡର

ରାୟଗଡା: ରାୟଗଡା ଉପଖଣ୍ଡ ଉପଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ସହରରେ ଥିବା ବିଭିନ୍ନ ହୋଟେଲ ଗୁଡିକରେ ବେଆଇନ ଭାବେ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର କରାଯାଉଥିବା ନେଇ ଆଜି ଚଢାଉ କରାଯାଇଥିଲା । ବ୍ୟବହୃତ ହେଉଥିବା ତଥା ଗଚ୍ଛିତ ରଖାଯାଇଥିବା ୬୧ଟି ଗ୍ୟାସ ସିିଲିଣ୍ଡରକୁ ଜବତ କରିଛି ରାୟଗଡା ଉପଖଣ୍ଡ ସ୍ତରୀୟ ଯୋଗାଣ ବିଭାଗ । ରାୟଗଡା ସଦର ସହକାରୀ ଯୋଗାଣ ଅଧିକାରୀ ସୁହାଂଶ ଭୋଇଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍‌ ପକ୍ଷରୁ ଏହି ଚଢାଉ କରାଯାଇଥିଲା । ସହରର ଆଇସିଡିଏସ ଛକ ସମ୍ମୁଖରେ ଥିବା ଓମ ସାଇରାମ ଫାଷ୍ଟ ଏଣ୍ଡ ଫାଷ୍ଟ ଫୁଡ୍‌ରେ ଚଢାଉ ବେଳେ ୪ଟି ଏବଂ ସାଇରାମ ରେଷ୍ଟୁରାଂଟରୁ ୫ଟି ଘରୋଇ ଗ୍ୟାସ୍‌ ସିଲିଣ୍ଡର ଜବତ କରାଯାଇଥିଲା । ହୋଟେଲଗୁଡିକରେ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ବ୍ୟବହାର ପାଇଁ ନିୟମ ରହିଥିବା ବେଳେ ହୋଟେଲ ମାଲିକ ମାନେ ଡୋମେଷ୍ଟିକ୍‌ ଗ୍ୟାସ୍‌ ସିଲିଣ୍ଡର ବ୍ୟବହାର କରୁଥିବାରୁ ଏହା ବେଆଇନ ଅଟେ । ସେହିପରି ଚଢାଉ ବେଳେ ନେହୁରୁ ନଗର ଅଂଚଳରୁ ଏକ ମ୍ୟାକ୍ସ ପିକ୍‌ଅପ୍‌ ଗାଡିରୁ ୫୧ଟି ଇଣ୍ଡେନ୍‌ କମ୍ପାନୀର ଡୋମେଷ୍ଟିକ୍‌ ଗ୍ୟାସ୍‌ ସିଲିଣ୍ଡର ଜବତ କରାଯାଇଥିଲା । ଏହି ଗାଡିରେ ୫ଟି ପୂର୍ଣ୍ଣ ସିଲିଣ୍ଡର ଏବଂ ୪୬ଗୋଟି ଖାଲି ସିଲିଣ୍ଡର ରହିଥିଲା । ତେବେ ଗାଡିରେ ଥିବା ଗ୍ୟାସ ସିଲିଣ୍ଡର ଗୁଡିକର ସଠିକ୍‌ ବିଲ୍‌ କାଗଜ ପତ୍ର ବ୍ୟକ୍ତି ଜଣକ ଦେଖାଇ ପାରି ନ ଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା ବିଭାଗୀୟ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ଲିଖିତ ଭାବେ ଯୋଗାଣ ବିଭାଗ ଟିମକୁ ଜଣାଇଛନ୍ତି ଏବଂ ରାୟଗଡା ସହରର ଆଖପାଖ ଅଂଚଳରେ ଥିବା ଉପଭୋକ୍ତାଙ୍କୁ ଉକ୍ତ ସିଲିଣ୍ଡରଗୁଡିକ ବଂଟନ କରାଯାଇଥିବା ନେଇ ଟିମକୁ ଜଣାଇଛନ୍ତି । ତେବେ ସଂଧ୍ୟା ସୁଦ୍ଧା ସିଲିଣ୍ଡରଗୁଡିକର ବିଲ୍‌ ପତ୍ର ଯୋଗାଇ ନ ପାରିଲେ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବ ବୋଲି ଏବଂ ଉପଜିଲ୍ଳାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଆଗାମୀ ଦିନରେ ସହରର ବିଭିନ୍ନ ଚାଉଳ, ଆଳୁ, ପିଆଜ ଗୋଦାମଗୁଡିକରେ ମଧ୍ୟ ଚଢାଉ କରାଯିବ ବୋଲି ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ଭୋଇ ପ୍ରକାଶ କରିଛନ୍ତି । ଆଜିର ଏହି ଚଢାଉ ସମୟରେ କାଶିପୁର ବ୍ଳକ ମାର୍କେଟିଂ ଇନ୍ସପେକ୍ଟର (ଏମ.ଆଇ.) ସତ୍ୟନାରାୟଣ ଭୋଇ, ରାୟଗଡା ବ୍ଳକର ଏମଆଇ ଚୈବନ ବେହେରାଙ୍କ ସହ କୋଲନରା ବ୍ଳକ ଏମ.ଆଇ.ଅନୀଲ କୁମାର ଗମାଙ୍ଗ ପ୍ରମୁଖ ସାମିଲ ହୋଇଥିଲେ ।

Comments (0)
Add Comment