ନିଆରା ପରଂପରା, ବୃକ୍ଷରେ ରାକ୍ଷୀ ବାନ୍ଧିଲେ ଗ୍ରାମବାସୀ

ଦଶପଲ୍ଲା : ଆଜି ସର୍ବତ୍ର ରକ୍ଷାବନ୍ଧନ ଉତ୍ସବ ଆନନ୍ଦଉତ୍ସାହର ସହ ପାଳିତ ହୋଇଛି । ଉତ୍ସବରେ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧୁଥିବା ବେଳେ ଏକ ନିଆରା ପରମ୍ପରା ଦଶପଲ୍ଲାରେ ଦେଖିବାକୁ ମିଳୁଛି । ଦୀର୍ଘ ବର୍ଷ ହେଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମବାସୀ ଏହି ନିଆରା ପରମ୍ପରା ସହ ବାନ୍ଧି ହୋଇ ଯାଇଛନ୍ତି । ଗଛ ମାନବ ସମାଜ ପାଇଁ ସବୁଠାରୁ ଦରକାରୀ ହୋଇଥିବାରୁ ଗ୍ରାମର ବୟସ୍କ ବ୍ୟକ୍ତିମାନେ ରକ୍ଷାବନ୍ଧନ ତିଥିରେ ଗଛରେ ରାକ୍ଷୀ ବାନ୍ଧିଥାନ୍ତି । ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମରେ ୧୯୮୮ ମସିହା ଠାରୁ ଏଭଳି ପରମ୍ପରା ଚାଲି ଆସିଛି । ଅପରାହ୍ନରେ ପ୍ରଥମେ ଗ୍ରାମର ବୟସ୍କ ବ୍ୟକ୍ତି ମାନେ ନୂଆ ଲୁଗା ପିନ୍ଧି ଗଛରେ ରାକ୍ଷୀ ବାନ୍ଧି ସାରିବା ପରେ ଗହ୍ମାଡିଆଁ ପର୍ବ ପାଳନ କରିଥାନ୍ତି । ମା ମଣୀନାଗ ଆଂଚଳିକ ଯୁବ ସଂସଦର ସଭାପତି ନିକୁଞ୍ଜ କିଶୋର ପ୍ରଧାନ, ସଂପାଦକ ରାଜେଶ୍‌ କୁମାର ଜାନି, କୋଷାଧ୍ୟକ୍ଷ ଶୁଭକାନ୍ତ ଜାନିଙ୍କ ଓ ସାମ୍ବାଦିକ ରତ୍ନାକର ହୋତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବନପାଳ( ବନ୍ୟପ୍ରାଣୀ ) ଦୀପ୍ତି ରଂଜନ ଆଚାର୍ଯ୍ୟ, ଅନ୍ୟତମ ମୁଖ୍ୟ ଅତିଥି ଭାବରେ ବନପାଳ ଦୀପ୍ତି ରଂଜନ ନାୟକ,ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ମଦନ କୁମାର ଜାନୀ, ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସମିତି ସଭ୍ୟ ପ୍ରଶାନ୍ତ ଦଳବେହେରା, ପ୍ରଶାନ୍ତ ସାହୁ, ବନବିଭାଗ କର୍ମଚାରୀ ରସାନନ୍ଦ ମାଝୀ ଯୋଗ ଦେଇ ବୃକ୍ଷ ମାନବ ସମାଜ ପାଇଁ କେତେ ଦରକାରି ସେ ଉପରେ ପୁଂଖାନୁପୁଂଖ ଆଲୋଚନା କରିଥିଲେ । ବୃକ୍ଷ ବିନା ମାନବ ସମାଜର ସ୍ଥିତି ନାହିଁ ବୋଲି ସମସ୍ତ ଦୃଢ଼ କଣ୍ଠରେ ସ୍ୱୀକାର କରିବା ସହିତ ବୃକ୍ଷ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷା ପାଇଁ ସମସ୍ତେ ବ୍ରତି ହେବାପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ । ଗ୍ରାମର ବରିଷ୍ଠ ନାଗରିକ ନିତ୍ୟାନନ୍ଦ ପ୍ରଧାନ, ପରମାନନ୍ଦ ମଳିକ, ପ୍ରମୋଦ କୁମାର ଜାନୀଙ୍କ ସମେତ ଗ୍ରାମବାସୀ ଏକତ୍ର ହୋଇ ବଟବୃକ୍ଷରେ ରକ୍ଷାବନ୍ଧନ କରିବା ସହିତ,ଏହି ଉତ୍ସବକୁ ମହା ସମାରୋହରେ ପାଳନ କରିଥିଲେ । ସମସ୍ତଙ୍କ ଶୁଭ ମନାସିଥିଲେ । ଏହା ପରେ ପରେ ପାରଂପାରିକ ରୀତିରେ ଛୋଟ ଛୋଟ ପିଲାମାନେ ଗହ୍ମାପର୍ବ ପାଳନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଲାଲୁଭାଇ ଓ ଶୁଭକାନ୍ତ ସଂଯୋଜନା କରିଥିଲେ ।

Comments (0)
Add Comment