ସୁବର୍ଣ୍ଣପୁର : ଆସନ୍ତା ୬ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ରାମେଶ୍ୱର ଷ୍ଟାଡିୟମ୍ ଠାରେ ଚାଲିବ ସୁବର୍ଣ୍ଣ ଲୋକ ମହୋତ୍ସବ । ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ମେଳା, ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ ନୃତ୍ୟ ଗୀତର ମହାପାର୍ବଣ ସହ ଅନୁଷ୍ଠିତ ହେବ ସୁବର୍ଣ୍ଣ ଲୋକ ମହୋତ୍ସବ । ଏଥିପାଇଁ ଆଜି ଜିଲ୍ଲାପାଳ ବିମଳେନ୍ଦୁ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମର ସମସ୍ତ ରୂପରେଖ ସମ୍ବନ୍ଧରେ ଚୁଡାନ୍ତ ସୂଚନା ଦେଇଛନ୍ତି । ଏସ୍ପି ଅମରେଶ ପଣ୍ଡା ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣ ସହ ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱାରୋପ କରିବାସହ ସମସ୍ତ ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ । ରାଜ୍ୟ ତଥା ରାଜ୍ୟବାହାର କଳାକାରମାନେ ଏହି ମହୋତ୍ସବରେ ଯୋଗଦେବା ପାଇଁ ଥିବାରୁ ସମସ୍ତେ ଏଠାରୁ ଏକ ସୁନ୍ଦର ଅନୁଭୂତି ନେଇ ଯେପରି ପ୍ରତ୍ୟାବର୍ତ୍ତନ କରିବେ ସେଥିପାଇଁ ମହୋତ୍ସବ କମିଟି ପକ୍ଷରୁ ଯଥେଷ୍ଟ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଏସପିଙ୍କ ବ୍ୟତୀତ ଏଡିଏମ୍ ଅଞ୍ଜଲିନା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।