ନବରଙ୍ଗପୁର : ନବରଙ୍ଗପୁର ସଦମହକୁମାରେ ଅବସ୍ଥିତ ଦୈନିକ କୃଷକ ବଜାରର ଅଧା ଅଂଶ ଅସରାଏ ବର୍ଷାରେ ଭାସିଯାଉଛି । ବଜାରର ଭିତର ପାର୍ଶ୍ୱ ପୂର୍ବରୁ ପଶ୍ଚିମ ଦିଗକୁ ଗଡାଣିଆ ଥିବା ବେଳେ ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ । ୨୦୧୭ ମସିହାରେ ଶୁଭାରମ୍ଭ ହୋଇଥିବା ଏହି ଦୈନିକ କୃଷକ ବଜାରର ବ୍ୟବସ୍ଥା ଠିକ ଥିଲା । କିନ୍ତୁ ଯେଉଁ ଦକ୍ଷିଣ ଦିଗ ଦେଇ ବର୍ଷା ଜଳ ନିଷ୍କାସନ ହେଉଥିଲା ସେହି ସ୍ଥାନରେ ୨୦୧୯ରେ ଷ୍ଟଲ୍ ମାନ ନିର୍ମାଣ କରି ବିଭିନ୍ନ ଦୋକାନ ଖୋଲିବା ପାଇଁ ଭଡ଼ାରେ ଦିଆଯାଇଛି । ତା’ ପର ଠାରୁ ପ୍ରତି ବର୍ଷ ଏହି ପରିସ୍ଥିତି ସୃଷ୍ଟି ହେଉଛି । ଭିତର ପାର୍ଶ୍ୱ ପୂର୍ବ ଭାଗରେ ବର୍ଷା ଜଳ ଜମା ହୋଇ ପଚା ପନିପରିବା ଓ ଗାଈ ଗୋରୁମାନଙ୍କ ଗୋବର ପଡ଼ି ସେଥିରୁ ଦୁର୍ଗନ୍ଧ ବାହାରୁଛି । ସଂପୂର୍ଣ୍ଣ ବଜାର ପୁତିଗନ୍ଧମୟ ହୋଇ ରହିଛି । ସେହି ଅଧା ଅଂଶରେ ଦିନତମାମ ବସୁଥିବା ବେପାରୀ ସ୍ତ୍ରୀ ଲୋକମାନେ ପଚା କାଦୁଅ ପାଣି ସହ ଦୁର୍ଗନ୍ଧରେ ରହି ବିଭିନ୍ନ ରୋଗରେ ପୀଡିତ ହେବା ଦେଖା ଯାଉଛି । ଟିଣ ଛାତ ବିଭିନ୍ନ ସ୍ଥାନରେ କଣା ହୋଇ ପାଣି ଗଳୁଛି । ବିଭିନ୍ନ ସମୟରେ ଏ ବିଷୟରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୌର ପରିଷଦ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଦୈନିକ କୃଷକ ବଜାର କମିଟି ସଭାପତି ରାଜା ସାହୁ ଓ ଅନ୍ୟାନ୍ୟ ବେପାରୀ ବୃନ୍ଦ ଏ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ କାହିଁକି ନିଆଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ପୌରଧ୍ୟକ୍ଷ, ପୌର ନିର୍ବାହୀ ଅଧିକାରୀ ତଥା ଜିଲ୍ଲାପାଳ ଏ ସମସ୍ୟାକୁ ଗୁରୁତର ସହ ନେଇ ଶୀଘ୍ର ସମାଧାନ କରିବା ପାଇଁ ବୁଦ୍ଧିଜୀବୀ ମାନେ ଆଶାବାଦୀ ଅଛନ୍ତି ।