ପୁରୀ : ଆସନ୍ତା ୧୭ ତାରିଖରେ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବ ।୧୭ ତାରିଖ ଅପରାହ୍ନ ୩ ଟା ପରେ ସାଧାରଣ ଶ୍ରଦ୍ଧାଳୁ ପରିକ୍ରମା ମାର୍ଗ ବୁଲିପାରିବେ । ସନ୍ଧ୍ୟାରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ସହ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ପ୍ରଦର୍ଶନୀ କରାଯିବ । ଆଜି ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ସ୍ୱତନ୍ତ୍ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସାଂସ୍କୃତିକ ଓ ବିଭିନ୍ନ ସବ କମିଟିର ପୂର୍ବ ନିଷ୍ପତ୍ତିକୁ ମୋହର ଲାଗିଛି । ଆସନ୍ତା କାଲି ସନ୍ଧ୍ୟା ୫ ଟା ରୁ ୬ ଟା ମଧ୍ୟରେ ଗଜପତିଙ୍କ ଦ୍ୱାରା ବ୍ରାହ୍ମଣବରଣ ,ସଂଧ୍ୟା ସାଢେ ୬ ଟାରୁ ରାତି ୮ଟା ମଧ୍ୟରେ ଯଜ୍ଞ ପାଇଁ ଅଙ୍କୁରାରୋପଣ କରାଯିବ । ୧୩ ତାରିଖରେ ଅଙ୍କୁର ପୂଜନ,୧୪ ତାରିଖରେ ଅଙ୍କୁର ପୂଜନ ,ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ୱଜା ସ୍ଥାପନ ଓ ତୋରଣ ସ୍ଥାପନ କରାଯିବ । ୧୫ ତାରିଖରେ ଅଖଣ୍ଡ ଦୀପସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣବରଣ, ମଣ୍ଡଳ ପୂଜନ,ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦ ପାରାୟଣ, ଅନ୍ତଃ ପ୍ରଦିକ୍ଷଣ ପଥରେ ନାମ ସଙ୍କୀର୍ତ୍ତନ ,ବୈଷ୍ଣବ ଅଗ୍ନି ସଂସ୍କାର , ,ଆରତୀ,ପୁଷ୍ପାଞ୍ଜଳି ଓ ପ୍ରଦିକ୍ଷଣ, ୧୬ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶାଲା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳ ପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ହେବ । ୧୭ ତାରିଖ ସକାଳ ୭ଟା ୩୦ ରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା ପରେ ଅପରାହ୍ନ ୧.୧୫ ରୁ ୧.୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଫଳକ ଉନ୍ମୋଚନ କରିବେ । ଅପରାହ୍ନ ୨ ଟାରୁ ୨.୩୦ ମଧ୍ୟରେ ପରିକ୍ରମା ମାର୍ଗରେ ପ୍ରଦକ୍ଷଣ ପରେ ଉତ୍ତର ପାର୍ଶ୍ୱ ମଠରେ ହୋଇଥିବା ସଭା ସ୍ଥାନରେ ମୁଖ୍ୟମନ୍ତ୍ରୀ କିଛି ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଓ ଧନ୍ୟବାଦ୍ ଜଣାଇବେ । ଅପରାହ୍ନ ୩ ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ ସାଉଣ୍ଡ ସୋର ବ୍ୟବସ୍ଥା ହୋଇଛି ।
ପରିକ୍ରମା ମାର୍ଗର ଛୋଟ ଛୋଟ ମଣ୍ଡପ ସମ୍ମୁଖରେ ସଙ୍କୀର୍ତ୍ତନ ସହ ଓଡ଼ିଶୀ, ମାହାରୀ,ସମ୍ବଲପୁରୀ , ପାଇକ,ବନାଟି ଆଦି ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଭୁବନେଶ୍ୱର ଓ କଟକରୁ ଅଧିକ ଶ୍ରଦ୍ଧାଳୁ ଆସିବାର ସମ୍ଭାବନା ରହିଛି । ସମସ୍ତ ଭିଆଇପି ଓ ନିମନ୍ତ୍ରିତ ଅତିଥି ଶ୍ରୀଜଗନ୍ନାଥ ବଲ୍ଲଭ ମଠରୁ ଶ୍ରୀ ମାର୍ଗ ଦେଇ ଯଜ୍ଞ ସ୍ଥଳ ଓ ବସିବା ସ୍ଥାନକୁ ଆସିବେ । ବାଟରେ ଯୋଡ଼ି ଶଙ୍ଖ ,ଲଉଡି ଖେଳ ପ୍ରଦର୍ଶନ କରାଯାଇ ଅତିଥିଙ୍କୁ ସ୍ୱାଗତ କରାଯିବ, ।
ପରିକ୍ରମା ମାର୍ଗର ଲ୍ୟାଣ୍ଡସ୍କୋପ୍ ଓ ବଫର ଜୋନ କାର୍ଯ୍ୟ ଶେଷ ହୋଇଛି । ଆଜି ଅଗ୍ନିଶମ ବିଭାଗ ଓ ପୁରୀ ପୌରପାଳିକା ପକ୍ଷରୁ ପାଣି ସିଞ୍ଚନ କରାଯାଇ ପରିକ୍ରମା ମାର୍ଗ ସଫେଇ କରାଯିବ । ଆଜି ରାତି ୧୧ଟା କିମ୍ବା ଆସନ୍ତାକାଲି ଓବିସିସି ପରିକ୍ରମା ମାର୍ଗ ପ୍ରକଳ୍ପ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବ ।ନିମନ୍ତ୍ରିତ ଅତିଥିଙ୍କ ରହଣି,ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ପ୍ରାୟ ୯୦୦ ଅତିଥିଙ୍କ ବସିବା ପାଇଁ ୩ ଟି ଜୋନ କରାଯାଇଛି । ପ୍ରତି ଜୋନରେ ୩୦୦ ଅତିଥି ବସିପାରିବେ ।
ଆଜି ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ପରିଚାଳନା କମିଟିର ସ୍ୱତନ୍ତ୍ର ବୈଠକରେ ଏହିସବୁ ନିଷ୍ପତି ନିଆଯାଇଛି । ନେପାଳ ରାଜାଙ୍କ ସହ ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟଙ୍କୁ ଦୁଇ ଥର ନିମନ୍ତ୍ରଣ କରାଯାଇଛି । ସେମାନେ ଶୁଭେଚ୍ଛା ବାର୍ତା ମଧ୍ୟ ପଠାଇଛନ୍ତି । ଅତିଥିଙ୍କ ସ୍ୱୀକୃତି ଜାରୀ ରହିଛି । ଏମାର ମଠ ଓ ମା କାକୁଡିଖାଇଙ୍କ ମନ୍ଦିର ମଧ୍ୟସ୍ଥଳରେ ହେବ ଲେଜର ସୋ । ଆଜି ବସିଥିବା ପରିଚାଳନା କମିଟି ସ୍ୱତନ୍ତ୍ର ବୈଠକରେ ଏ ନେଇ ପ୍ରସ୍ତାବ ଦିଆଯାଇଛି । । ଆସନ୍ତା ୨-୩ ଦିନ ମଧ୍ୟରେ ଚୁଡାନ୍ତ ରୂପରେଖ ପ୍ରସ୍ତୁତ ହେବ । ମାର୍କେଟ ଛକ ମୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ଓ ବ୍ରିଟିଶ ଅମଳର ପାଣିଟାଙ୍କିରେ କାଞ୍ଚି ଅଭିଯାନ ଲେଜର ସୋ ହେବ । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୂର୍ଗା ଦାସ ମହାପାତ୍ର ଏହି ସୂଚନା ଦେଇଛନ୍ତି ।