ପୁରୀ : ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ପାକିସ୍ତାନର ଗୁପ୍ତଚର ଭାବେ ଗିରଫ ହେବା ପରେ ଏବେ ସବୁଆଡେ ଚର୍ଚ୍ଚା ଲାଗି ରହିଛି । ତେବେ ଗତ ୨୦୨୪ ସେପ୍ଟେମ୍ବର ମାସରେ ଜ୍ୟୋତି ମାଲହୋତ୍ରା ପୁରୀ ଆସି ଶ୍ରୀମନ୍ଦିର ସମେତ, ବେଳାଭୂମି ଏବଂ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଭ୍ରମଣ କରିଥିବାରୁ କେଉଁ ଉଦ୍ଦେଶ୍ୟ ନେଇ ସେ ପୁରୀ ଆସିଥିଲେ ତା’କୁ ନେଇ ଚର୍ଚ୍ଚା ଆଲୋଚନା ଏବେ ଲାଗି ରହିଛି । ଇତି ମଧ୍ୟରେ ଜ୍ୟୋତି ମାଲହୋତ୍ରା ପୁରୀ ଆସିଥିବା ବେଳେ ରହିଥିବା ହୋଟେଲ ସମ୍ପର୍କରେ ସୂଚନା ମିଳିଛି । ଜ୍ୟୋତି ମାଲହୋତ୍ରା ଗତ ୨୦୨୪ ମସିହା ସେପ୍ଟେମ୍ବର ୨୧ ତାରିଖରେ ପୁରୀ ଆସିଥିଲେ । ବଡ଼ଦାଣ୍ଡ ସ୍ଥିତ ମାର୍କେଟ ଛକ ନିକଟରେ ଥିବା ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସର ୨୦୩ ନମ୍ବର କୋଠରୀରେ ଜ୍ୟୋତି ମାଲହୋତ୍ରା ରହିଥିଲେ । ୨୦୨୪ ସେପ୍ଟେମ୍ବର ୨୧ ତାରିଖ ଦିନ ୧୨ଟା ପରେ ହୋଟେଲକୁ ଆସିଥିଲେ ଜ୍ୟୋତି ମାଲହୋତ୍ରା । ପରଦିନ ଅର୍ଥାତ ସେପ୍ଟେମ୍ବର ୨୨ ତାରିଖ ସନ୍ଧ୍ୟାରେ ସେ ରୁମ୍ ଛାଡ଼ି ଦେଇଥିଲେ । ତେବେ ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ତାଙ୍କର ରୁମ୍ ବୁକ୍ ରହିଥିଲା । ଜ୍ୟୋତି ମାଲହୋତ୍ରାଙ୍କ ସହିତ ଚନ୍ଦ୍ରକାନ୍ତା ନାମକ ଜଣେ ବୟସ୍କ ମହିଳା ମଧ୍ୟ ତାଙ୍କ ସହିତ ରୁମରେ ରହିଥିଲେ । ଉକ୍ତ ମହିଳା ଜଣକ ଜ୍ୟୋତି ମାଲହୋତ୍ରାଙ୍କ ମା ବୋଲି ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସର ମ୍ୟାନେଜରଙ୍କୁ ଜ୍ୟୋତି କହିଥିଲେ । ଜ୍ୟୋତି ମାଲହୋତ୍ରାଙ୍କ ରୁମ୍ କୁ ଅନ୍ୟ କୌଣସି ବ୍ୟକ୍ତି ଆସିନଥିବା ବେଳେ ଜ୍ୟୋତି ମାଲହୋତ୍ରାଙ୍କ କାର୍ଯ୍ୟକଳାପ ମଧ୍ୟ କୌଣସି ସନ୍ଦେହଜନକ ନଥିବା କହିଛନ୍ତି ଭକ୍ତ ନିବାସ ମ୍ୟାନେଜର । ଏପରିକି ଜ୍ୟୋତି ମାଲହୋତ୍ରା ଙ୍କ ପୁରୀର ୟୁଟ୍ୟୁବର ସାଙ୍ଗ ପ୍ରିୟଙ୍କା ସେନାପତି ଜ୍ୟୋତିଙ୍କୁ ଦେଖା କରିବାକୁ ଆସିନଥିବା କହିଛନ୍ତି ଭକ୍ତ ନିବାସ ମ୍ୟାନେଜର । ତେବେ ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଜ୍ୟୋତି ମାଲହୋତ୍ରାଙ୍କ ରୁମ୍ ବୁକ୍ ଥିବାବେଳେ ସେ କାହିଁକି ତା ପୂର୍ବଦିନ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖ ସନ୍ଧ୍ୟା ବେଳେ ରୁମ୍ ଛାଡିଲେ ସେନେଇ ପ୍ରଶ୍ନ ଉଠିଛି ।
ସେପଟେ ପାକିସ୍ତାନୀ ଜାସୁସ୍ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କ୍ରେ ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କ ଲିଙ୍କ ଥିବା ନେଇ ଜଣାପଡ଼ିବା ପରେ ଗତ ଚାରିଦିନ ହେବ ପ୍ରିୟଙ୍କାକୁ ଜେରା କରୁଛି ପୁରୀ ପୋଲିସ । କେନ୍ଦ୍ର, ରାଜ୍ୟର ଗୁଇନ୍ଦା ବିଭାଗ, ହରିୟାଣା ପୋଲିସ ଏବଂ ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ସହ ଯୋଗସୂତ୍ର ରକ୍ଷାକରି ପ୍ରିୟଙ୍କାକୁ ଜେରା କରୁଛି ପୁରୀ ପୋଲିସ । ବିଶେଷ କରି ପୁରୀର କେଉଁ କେଉଁ ସ୍ଥାନକୁ ଜ୍ୟୋତି ମାଲହୋତ୍ରା ଯାଇଥିଲେ, କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ କରୁଛି । ସେହିପରି ଜ୍ୟୋତି ମାଲହୋତ୍ରାଙ୍କ ସହ ପ୍ରିୟଙ୍କା କାଶ୍ମୀର, ପାକିସ୍ତାନର କରତାରପୁର ସହିତ ଅନ୍ୟ କେଉଁ କେଉଁ ସ୍ଥାନକୁ ଯାଇଛନ୍ତି ଏବଂ ଏଥିପାଇଁ କିଏ ପ୍ରିୟଙ୍କାଙ୍କୁ ଅର୍ଥ ଯୋଗାଇଛି ସେ ସମସ୍ତ ଘଟଣାର ଯାଞ୍ଚ କରୁଛି ପୁରୀ ପୋଲିସ । ପ୍ରିୟଙ୍କାର ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟରୁ ଅନେକ ଭିଡିଓ ଡିଲେଟ କରାଯାଇଥିବାବେଳେ ଏହାର ଅନୁଧ୍ୟାନ ମଧ୍ୟ କରୁଛି ପୋଲିସ । ପ୍ରିୟଙ୍କାଙ୍କ ସୋସିଆଲ ମିଡିଆ ସାଇଟରେ ଶ୍ରୀମନ୍ଦିରର ଡ୍ରୋନ୍ ଫୁଟେଜ ଥିବାରୁ ସେଗୁଡିକ କିଭଳି ଭିଡିଓ କରିଥିଲେ ସେ ନେଇ ତଦନ୍ତ ହେଉଛି । ସମସ୍ତ ତଦନ୍ତ ସରିବା ପରେ ହିଁ ପୋଲିସ ନିର୍ଜାସରେ ପହଞ୍ଚିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।
ପୁରୀ ଏସପି ବିନୀତ ଅଗ୍ରୱାଲ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆମେ ସବୁ ଦିଗକୁ ନେଇ ଯାଞ୍ଚ କରୁଚୁ । ଯେତେ ଶୀଘ୍ର ଏକ ନିର୍ଯ୍ୟାସ ରେ ପହଞ୍ଚିବା ପାଇଁ ଆମେ ତଦନ୍ତ ଜାରି ରଖିଛ । ଯେହେତୁ ତଦନ୍ତ ଚାଲିଚି ଆମେ କୌଣସି ନିର୍ଯ୍ୟାସ ରେ ପହଞ୍ଚିନୁ । ବିଭିନ୍ନ ସୁରକ୍ଷା ଏଜେନ୍ସି ସହ ଯୋଗାଯୋଗ ରେ ଅଛୁ । ଆମ ଭିତରେ ସହଯୋଗ ରହିଛି । ଯାହା ନିର୍ଦ୍ଦେଶ ଆସୁଚି ସେହି ଅନୁଯାୟୀ ତଦନ୍ତ ଚାଲିଚି । ତେବେ ପୁରୀର ୟୁଟ୍ୟୁବର ପ୍ରିୟଙ୍କାଙ୍କ ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିରର ଏକ ଡ୍ରୋନ ଭିଡିଓ ଅପଲୋଡ଼ ହୋଇଥଲା । ଏହା କେବେ କିଭଳି କରାଯାଇଥିଲା ତାହା ଆମେ ଅନୁସନ୍ଧାନ କରୁଚୁ । ପ୍ରିୟଙ୍କା ସୋସିଆଲ ମିଡ଼ିଆ ଆକାଉଣ୍ଟ, ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ୍ ଯାଞ୍ଚ କରୁଚି । ତେବେ ସମ୍ପୂର୍ଣ ତଦନ୍ତ ସରିବା ପରେ ହିଁ ଆମେ କହିପାରିବା ଜ୍ୟୋତି ମାଲାହୋତ୍ରା ଙ୍କ ସହ ପୁରୀ ପ୍ରିୟଙ୍କା ସେନାପତିଙ୍କ କଣ ଲିଙ୍କ ରହିଚି ।