ରଥଯାତ୍ରା ପାଇଁ ଦୁଇ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଜୁଲାଇ ୮ତାରିଖ ରଥଯାତ୍ରା ପରଦିନକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଛୁଟି ଘୋଷଣା କରାଯାଇଛି ।ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ଓ ମହାପ୍ରଭୁଙ୍କ କାର୍ଯ୍ୟକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବାକୁ ସରକାରୀ ଅଧିକାରୀ ମାନଙ୍କୁ ଆଜି ଅନୁଷ୍ଠିତ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏ ବର୍ଷର ବିରଳ ରଥଯାତ୍ରା ରାଜ୍ୟ ସରକାରଙ୍କ ପାଇଁ ଆଶୀର୍ବାଦ ବୋଲି କହିବା ସହ ସବୁ ବର୍ଗର ଜନସାଧାରଣଙ୍କ ସହଯୋଗ କାମନା କରିଥିବା ବେଳେ ସୁରକ୍ଷା ନେଇ ୧୮୦ପ୍ଲାଟୁନ ପୋଲିସ ଫୋର୍ସଙ୍କ ସମେତ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ରଥଯାତ୍ରା ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ ରହିଥିବା ହେତୁ ଶ୍ରୀକ୍ଷେତ୍ର ପୁରୀରେ ଦୃଢ଼ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ନେଇ ଜଣାପଡିଛି ।
ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ କରିବା ନେଇ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି ସ୍ୱତନ୍ତ୍ର ସମୀକ୍ଷା ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷ ତାରେ ବସିଥିବା ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କଡ଼ାଯାଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ରଥଯାତ୍ରା ଶୃଙ୍ଖଳିତ ଭାବେ କରିବା ନେଇ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସମର୍ପଣ ମନୋଭାବ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମହାପ୍ରଭୁଙ୍କର ରଥଯାତ୍ରା ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ନିଦର୍ଶନ ହୋଇଥିବା ବେଳେ ଶ୍ରୀକ୍ଷେତ୍ରରେ ଏହାକୁ ସୁଚାରୁ ୂପେ ସମାପନ ନେଇ ସାଧାରଣ ଜନତାଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଚଳିତ ବର୍ଷ ରଥଯାତ୍ରା ଦୁଇ ଦିନ ଧରି ହେବାକୁ ଥିବାରୁ ଜୁଲାଇ ୮ତାରିଖ ଦିନକୁ ସରକାରୀ ଛୁଟି ଘୋଷଣା ନେଇ ସେବାୟତଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ସମର୍ଥନ ଜଣାଇ ଛୁଟି ଘୋଷଣା କରାଯାଇଛି । ଅନ୍ୟପକ୍ଷରେ ରଥଯାତ୍ରା ଦିନ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସମସ୍ତ ବ୍ୟବସ୍ଥା ଶୃଙ୍ଖଳିତ ଭାବେ କରିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ରଥଯାତ୍ରା ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।୧୮୦ପ୍ଲାଟୁନ ପୋଲିସ ଫୋର୍ସଙ୍କ ମୁତୟନ ସହ ୪ଜଣ ଅତିରିକ୍ତ ଡିଜି, ୬ଜଣ ଆଇଜି ଓ ଡ଼ିଆଜି ପାହ୍ୟା ଅଧିକାରୀଙ୍କ ସମେତ ୧୯ଜଣ ଏସ୍‌ପି ବା କମଣ୍ଡାଣ୍ଟ ପାହ୍ୟା ଅଧିକାରୀ ଶାନ୍ତି ଶୃଙ୍ଖଳା ଦାୟିତ୍ୱ ରେ ରହିବେ । ସେହିପରି ତଟ ସୁରକ୍ଷା ନେଇ କୋଷ୍ଟଗାର୍ଡ ଓ ଆକାଶ ମାର୍ଗରେ ସ୍ୱତନ୍ତ୍ର ଡ୍ରୋନ ମାଧ୍ୟମରେ ଭିଡ଼ ନିୟନ୍ତ୍ରଣ ନେଇ ବ୍ୟବସ୍ଥା କରାଯାଇଥିବା ପୋଲିସ ଡିଜି ମତ ରଖିଛନ୍ତି । ତେବେ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ,ପରିମଳ ବ୍ୟବସ୍ଥା,ବିଦ୍ୟୁତ ଯୋଗାଣ ଓ ଗମନାଗମନ ଓ ସମସ୍ତ ପ୍ରଶାସନିକ ବ୍ୟବସ୍ଥା ଦୁଇ ଦିନ ଧରି ଜାରିରହିବ । ତେବେ ନିଆରା ରଥଯାତ୍ରାରେ ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ କରିବା ବଡ଼ ଚାଲେଞ୍ଜ ରହିବା ବେଳେ ସେବାୟତ ମାନେ ଏହାକୁ ସମ୍ପାଦନ ନେଇ ପ୍ରତିଶୃତି ଦେଇଛନ୍ତି ।
ପୁରୀରେ ଅନୁଷ୍ଠିତ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ,ପୁରୀର ବିଧାୟକ ଗଣ , ରାଜ୍ୟସଭା ସାଂସଦ, ମୁଖ୍ୟ ଶାସନ ସଚବ, ପୋଲିସ ଡିଜି ଓ ବିଭିନ୍ନ ବିଭାଗର ସଚିବ ଅଧିକାରୀଙ୍କ ସହ ସେବାୟତ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦାନ କରିଥିଲେ ।

Comments (0)
Add Comment