ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ଅଳ୍ପ ଦିନ ବାକି ଥିବା ବେଳେ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ପୂର୍ବରୁ ତିନି ରଥ ପାଞ୍ଚ ଦଣ୍ଡା ରେ ଆଗ ଆଣି,ପଛ ଆଣି ଗରଗରା ପଡ଼ି ଦଣ୍ଡା ଉଭୟ ପାର୍ଶ୍ୱରେ ଗୋଟିଏ ଗୋଟିଏ ପୋଲଗୟଳ ମୋଡା ଶେଷ ହୋଇଥିଲା । ଅନୁକୂଳ ପୂଜା ପୂର୍ବକ ତିନିରଥର ଚାରି ନାହାକା ଉଠିବା ପର୍ବ ସମ୍ପନ୍‌ ଗତକାଲି ପୂର୍ବାହ୍ନରେ ତିନି ରଥର ମୁଖ୍ୟ ମହାରଣା ମାନେ ନଡ଼ିଆ ବାଡେଇ ଅନୁକୂଳ ପୂଜା ପୂର୍ବକ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଭୋଇ ସେବକଙ୍କ ଦ୍ୱାରା ଚାରି ନାହାକାକୁ ଗରଗରା ବିନ୍ଧରେ ସଂଯୋଗ କରି ଚାରି ନାହାକା ଉଠିବା ପର୍ବ ଶେଷ କରିଛନ୍ତି । ଏତଦ୍‌ ବ୍ୟତୀତ ଆଜି ତିନି ରଥର ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସହଯୋଗରେ ପାର୍ଶ୍ୱ ଦଣ୍ଡା ମାନଙ୍କରେ ତିନୋଟି ଲେଖାଏଁ ଜଳଯନ୍ତ୍ର ଏବଂ ଦୁଇଟି ଲେଖାଏଁ କୋଣ ଗୁଜ ଖଞ୍ଜି ତା ଉପରେ ନିରାଡ଼ି ସଂଯୋଗ ଶେଷ କରିଛନ୍ତି ।

ଏଥିସହ ତିନି ରଥର ଦୁଇଟି ଲେଖାଏଁ ପାର୍ଶ୍ୱ ଗୟଳ ମୋଡା ଶେଷ ହୋଇଛି । ଏହି ପାର୍ଶ୍ୱ ଗୟଳ ପଛ ପାର୍ଶ୍ୱ କୋଣ ଗୁଜରୁ ସମ୍ମୁଖ ଭାଗ କୋଣ ଗୁଜ ସହ ସଂଯୋଗ ହୋଇଛି । ଗୟଳକୁ ଟେକି ରଖିବା ପାଇଁ ମଝିରେ ପାଞ୍ଚ ଗୋଟି ଟାଣ ବା ଖମ୍ବୀ ସଂଯୋଗ ହୋଇ ଗୟଳକୁ ଧନୁ ପରି ସେଟିଂ କରାଯାଇଛି । ତିନି ରଥର ଛନ୍ଦା ଗୟଳ ମୋଡା ବାକି ରହିଛି ।

ରଥ ଚାଳି ଠାରେ ତିନି ରଥର ତିନୋଟି ଲେଖାଏଁ ଛନ୍ଦା ଗୟଳର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ରୂପକାର ସେବକ ମାନେ ତିନି ରଥର ନାଟଗୋଡ଼ରେ ରାହୁ ରୂପ ଖୋଦେଇ ଜାରୀ ରଖିଛନ୍ତି । ସେପଟେ ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନି ରଥ ର ନଦା କଣ୍ଟା ସକ ପୋଟଳ ବତା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।

Comments (0)
Add Comment