ପୁରୀ:ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଚନ୍ଦନପୁର ନିକଟ ସମଯାଜପୁର ଓଭରବ୍ରିଜ୍ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତର ଆହତଙ୍କୁ ପୁରୀ ଓ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ କିଛି ସମୟ ପୂର୍ବରୁ ଏକ ବାଲି ବୋଝେଇ ଟିପର୍ର ଚକା ଫାଟିଯିବାରୁ ତାହା ମରାମତି ପାଇଁ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ବେଳେ ୩୫ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ମୋ ବସ୍ ପଛପଟୁ ପ୍ରଥମେ ଟିପର୍ କୁ ଧକ୍କା ଦେଇଥିଲା । ତା ପଛରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ୱଇଙ୍ଗର୍ ଗାଡି ମୋ ବସ୍ କୁ ଧକ୍କା ଦେଇଥିଲା । ଫଳରେ ମୋ ବସ୍ ରେ ଥିବା ୧୫ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କ ସହ ୱଇଙ୍ଗର୍ ରେ ଥିବା ଗୋରଖପୁର ଓ ଟାଟା ଅଞ୍ଚଳର ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଖବର ପାଇ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ସିରିଜ୍ ଦୁର୍ଘଟଣା ଯୋଗୁଁ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ଚନ୍ଦନପୁର ଓ ସଦରଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।