ଆଜି ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହେବ ହେରାପଞ୍ଚମୀ ନିତି

ଆଜି ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହେବ ହେରାପଞ୍ଚମୀ ନିତି । ବିଧିପରମ୍ପରା ଅନୁଯାଇ ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ରୁକ୍ମଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମହାଲକ୍ଷ୍ମୀଙ୍କ ବିବାହ ହୋଇଥିଲା । ଗଇଁଠାଳ ଫିଟି ନ ଥିବା ବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ନବବିବାହିତା ଧର୍ମପତ୍ନୀ ମହାଲକ୍ଷ୍ମୀଙ୍କୁ ଛାଡି ବଡଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ଯାତ୍ରା କରିଛନ୍ତି । ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ । ସେଥିପାଇଁ ମହାଲକ୍ଷ୍ମୀ ବ୍ଯସ୍ତ ବିବ୍ରତ ହୋଇପଡିଛନ୍ତି । ହେରାପଞ୍ଚମୀ ଦିନ ଅର୍ଥାତ ଆଜି ରାତିରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ମହାଲକ୍ଷ୍ମୀ । ସେପଟେ ମହାଲକ୍ଷ୍ମୀଙ୍କ ଆଗମନ ପୂର୍ବରୁ ମହାପ୍ରଭୁ ଗତକାଲି ଦତ୍ତମହାପାତ୍ର ସେବକଙ୍କ ଦ୍ୱାରା ବନକଲାଗି ହୋଇଛନ୍ତି । ଆଜି ସଂଧ୍ୟା ଆଳତୀ ପରେ ଏକ ସୁସଜିତ ବିମାନ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତ୍ତିମହାପାତ୍ର ସେବାୟତ କର୍ପୂର ବନ୍ଦାପନା,ବଳିତା ବନ୍ଦାପନା,ଚାଉଳ ବନ୍ଦାପନା ଇତ୍ୟାଦି କରିବେ। ସେପଟେ ଗୁଣ୍ଡିଚା ମନ୍ଦିରକୁ ମହାଲକ୍ଷ୍ମୀ ଯିବାବେଳେ ମହାପ୍ରଭୁଙ୍କ ଠାରୁ ମୁଖଚୁମ୍ବିତ ଅଧରମାଳା ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯିବ। ସେହି ସମୟରେ ସଂଧ୍ୟାଧୂପ ଚାଲିଥିବା ବେଳେ ଟେରା ପଡିଥିବା କାରଣରୁ ମହାପ୍ରଭୁଙ୍କ ଭେଟ ନ ପାଇ ରାଗରେ ଅଭିମାନ କରିବେ ମା ମହାଲକ୍ଷ୍ମୀ। ରାଗ ଜର୍ଜରିତ ଅଭିମାନୀନି ମହାଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିବା ସମୟରେ ଭିତରଚ୍ଛ ମହାପାତ୍ର ଦହିପଟି ମଣୋହି ନୀତି କରିବେ। ଏହାପରେ ଅଭିମାନୀନି ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଚକ,ବଡଦାଣ୍ଡ ଓ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରସ୍ଥାନ କରିବାର ପରମ୍ପରା ରହିଛି । ଅନ୍ୟପଟେ ଆଡ଼ପ ଦର୍ଶନ ପାଇଁ ଆଜି ମଧ୍ୟ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି | ଆଜି ସକାଳୁ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି | ଆଜି ଗୁଣ୍ଡିଚା ମନ୍ଦିର ଦ୍ୱାର ଫିଟିବା ପରେ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିଲା | ଏହାପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା |

Comments (0)
Add Comment