କୋଟଗଡ଼ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା କୋଟଗଡ଼ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । କୋଟଗଡ଼ ବ୍ଲକରେ ଏହି ଯୁଗ୍ମ ଅଭିଯୋଗ ଶୁଣାଣି ପ୍ରତି ତିନି ମାସରେ ଥରେ ଅନୁଷ୍ଠିତ ହୋଇଥାଏ । ଚଳିତ ଅଭିଯୋଗ ଶୁଣାଣିରେ ମୋଟ ୧୫୩ ଟି ଅଭିଯୋଗ ଆସିଥିବା ଜଣାପଡ଼ିଛି । ସେଥି ମଧ୍ୟରେ ରାସ୍ତାଘାଟ ସମସ୍ୟା, ୫ଟି କାର୍ଯ୍ୟର ବିଲ୍‌ ମିଳିବାରେ ବିଳମ୍ବ, ଭୂମିହୀନଙ୍କୁ ଭୂମି ପ୍ରଦାନରେ ବିଳମ୍ବ, ପାନୀୟ ଜଳ ସମସ୍ୟା, ପ୍ରଧାନ ମନ୍ତ୍ରୀ ଆବାସରେ ପୁନଃ ତାଲିକାଭୁକ୍ତ, ମନରେଗାରେ ଜବକାର୍ଡ ଡିଲିଟ୍‌କୁ ପୁନଶ୍ଚ ସୁନିଶ୍ଚିତ କରିବା ଭଳି ଅନେକ ଅଭିଯୋଗ ହୋଇଛି । ଉକ୍ତ ଅଭିଯୋଗ ଗୁଡ଼ିକୁ ଜିଲ୍ଲାପାଳ ଈଶ୍ୱର ଆଶିଷ ପାଟିଲ୍‌ ପ୍ରତ୍ୟେକ୍ଷ ଭାବେ ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଏହାର ସମାଧାନ ନିମନ୍ତେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଅନ୍ୟପଟେ କେତେକ ଅଭିଯୋଗ ବାରମ୍ବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଉପସ୍ଥାପନା କରାଯାଉଥିଲେ ମଧ୍ୟ ଏଯାବତ୍‌ ତାହାର କୌଣସି ସୁଫଳ ମିଳୁ ନଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି । ଏଥିରେ ବାଲିଗୁଡ଼ା ଏସଡିପିଓ ୟସ୍‌ ପ୍ରତାପ ଶ୍ରୀମଲ, ପ୍ରକଳ୍ପ ଅଧିକାରୀ ରାଜେନ୍ଦ୍ର ରଂଜିତ, ସମ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡ଼ା ପ୍ରକଳ୍ପ ଅଧିକାରୀ ମଧୁସୂଦନ ବେହେରା, ତହସିଲଦାର ଦିବାକର ମାଝୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଗ୍ରହଣ କରିଥିଲେ । କୋଟଗଡ଼ ବିଡିଓ ଅର୍ଜୁନ ପ୍ରଧାନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments (0)
Add Comment