ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା । ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ବିଶ୍ୱକର୍ମା, ଭୋଇ, କରତି ଓ କମାର ସେବାୟତ । ତିନି ରଥର ପ୍ରାରମ୍ଭିକ କାର୍ଯ୍ୟ ଚକ ନିର୍ମାଣ ପାଇଁ ଏବେ ତୁମ୍ବ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତିନି ରଥ ପାଇଁ ମୋଟ ୪୨ଟି ତୁମ୍ବରୁ ୧୨ଟି ତୁମ୍ବ ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏପଟେ ତୁମ୍ବ ନିର୍ମାଣ ପାଇଁ ଆବଶ୍ୟକ ଥିବା ସମସ୍ତ କାଠ ପର୍ଯ୍ୟାପ୍ତ ପରିମାଣରେ ଥିବା ବରିଷ୍ଠ ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି । ତେବେ ପର୍ଯ୍ୟାୟ କ୍ରମେ ରଥକାଠ ଆସି ରଥଖଳାରେ ପହଞ୍ଚିବ ବୋଲି କହିଛନ୍ତି ରଥ ତତ୍ତ୍ୱାବଧାରକ ।


ସେପଟେ ଦୋଳବେଦୀର ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ କଣ୍ଟା ନିର୍ମାଣରେ ଲାଗି ପଡ଼ିଛନ୍ତି । ତିନି ରଥ ପାଇଁ ଅର କଣ୍ଟା ପ୍ରସ୍ତୁତ କରୁଛନ୍ତି ଓଝା ସେବକ । ତେବେ ଆଜି ରଥ ନିର୍ମାଣ କାର୍ଯ୍ୟର ଚତୁର୍ଥ ଦିନରେ ରଥଖଳାରେ ଭୋଇ, କରତି, କମାର ଓ ବିଶ୍ୱକର୍ମାଙ୍କୁ ମିଶାଇ ମୋଟ ୭୭ ଜଣ ସେବକ ନିୟୋଜିତ ହୋଇଛନ୍ତି । ସକାଳ ୮ଟା ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ନିର୍ମାଣକାରୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Comments (0)
Add Comment