ସାହି ଆଖଡାର ପାରମ୍ପରିକ ନୃତ୍ୟର କମ୍ପିଲା ବଡ଼ଦାଣ୍ଡ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଚଳିତ ମାସ ୧୭ ତାରିଖରେ ଅନୁଷ୍ଠିତ ହେବ । ଗତକାଲି ଶ୍ରୀଗଜପତି ମହାରାଜାଙ୍କ ଦ୍ୱାରା ଯଜ୍ଞାନୁଷ୍ଠାନ ପାଇଁ ରାଜଗୁରୁଙ୍କୁ ଆଚାର୍ଯ୍ୟ ବରଣ କରାଯାଇ ଯଜ୍ଞଶାଳାରେ ଅଙ୍କୁରାରୋପଣ ପୂଜନ କରାଯାଇଥିଲା । ଯଜ୍ଞଶାଳାରେ ଅଙ୍କୁର ପୂଜନ କରାଯାଇଥିଲା । ଲୋକାର୍ପଣ ଦିନ ଯେତିକି ପାଖେଇ ଆସୁଛି ସାଧାରଣରେ ସେତିକି ଉତ୍କଣ୍ଠା ଓ ଉତ୍ସାହ ପରିଲକ୍ଷିତ ହେଉଛି । ପ୍ରତ୍ୟେକ ଚାହୁଁଛନ୍ତି ସେମାନେ ମଧ୍ୟ ମହାପ୍ରଭୁଙ୍କ ଏହି ଭବ୍ୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବେ । ଆଜି ପୁରୀର ଆଠ ସାହି ଆଖଡା ମଧ୍ୟରୁ କାଳୀକା ଦେବୀ ସାହି ଓ ମାଟି ମଣ୍ଡପ ସାହି ସେମାନଙ୍କ ସାଂସ୍କୃତିକ ଓ ସମରକଳା ପ୍ରଦର୍ଶନ କରିଥିଲେ ।

ପୁରୀର ଆଖଡା ଓ ଜାଗା ଘରର ସଂସ୍କୃତି ବହୁ ପ୍ରାଚୀନ ।ଏହି ଆଖଡା ଓ ଜାଗା ଘରର ପ୍ରଶିକ୍ଷିତ ସଦସ୍ୟ ମାନେ ଶ୍ରୀମନ୍ଦିରକୁ ବାହ୍ୟ ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ନିୟୋଜିତ ଥିଲେ । ବିଭିନ୍ନ ସମରକଳାରେ ପ୍ରଶିକ୍ଷିତ ଓ ସମୃଦ୍ଧ ଏହି ଜାଗା ଘର ସେନା ଭାବେ କାର୍ଯ୍ୟ କରୁଥିଲେ । ସେହି ପାରମ୍ପରିକ କଳା ଓ ଐତିହ୍ୟକୁ ବଞ୍ଚାଇ ରଖିବାକୁ ସରକାର ଓ ପ୍ରଶାସନ ସହଯୋଗ ମଧ୍ୟ କରୁଛନ୍ତି । ତାହାର ପୁନରୁଦ୍ଧାର ଓ ବିଭିନ୍ନ ଆବଶ୍ୟକୀୟ ଉପକରଣ ଦ୍ୱାରା ଜାଗା ଘର ଗୁଡିକ ତାହାର ଐତିହ୍ୟକୁ ସମୃଦ୍ଧ କରିପାରିଛି । ଆଜିର ସମାରୋହରେ ନାଗା,ଦୂର୍ଗା, କାଳୀ,ଗଣେଶ ମେଢ଼ ସହ ଘୋଡାନାଚ, ଓଡିଶୀ, ଘଣ୍ଟ, ସଂକୀର୍ତ୍ତନ ଇତ୍ୟାଦି ସାମିଲ ହୋଇଥିଲା । ଉଭୟ ସାହି ସେମାନଙ୍କ ନିଜ ସାହି ପରିକ୍ରମା କରି ସିଂହ ଦ୍ୱାରରେ ପହଞ୍ଚିଥିଲେ । ପରେ ଜଗନ୍ନାଥ ବଲ୍ଲଭ ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇ ପୁନଶ୍ଚ ସିଂହ ଦ୍ୱାର ହୋଇ ସାହିକୁ ପ୍ରତ୍ୟାବର୍ତ୍ତନ କରିଥିଲା ।ହଜାର ହଜାର ଲୋକ ଏହି ପାରମ୍ପରିକ ସୁନ୍ଦର କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ । ଉଭୟ ସାହିର ମୁରବି, ସ୍ୱେଚ୍ଛାସେବୀ ଅତ୍ୟନ୍ତ ଶୃଙ୍ଖଳାର ସହ ଏହି ଶୋଭାଯାତ୍ରାକୁ ସମ୍ପନ୍ନ କରାଇଥିଲେ ।

Comments (0)
Add Comment