କେନ୍ଦୁଝର : ପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଜଗନ୍ନାଥ ନାଏକ ସୋମବାର ଦିନ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । କେନ୍ଦୁଝରଗଡ ମୁନିସିପାଲିଟି କଲ୍ୟାଣ ମଣ୍ଡପ ସାମ୍ନା ରାସ୍ତାରୁ ଏକ ସୁସଜ୍ଜିତ ଗାଡିରେ ହଜାର ହଜାର ଦଳୀୟ କର୍ମୀ ଏବଂ ଜିଲ୍ଲା ନେତୃବର୍ଗଙ୍କ ଗହଣରେ ଶ୍ରୀ ନାଏକଙ୍କ ପ୍ରାର୍ଥୀପତ୍ର ଦାଖଲ ଅଭିଯାନ ଆରମ୍ଭ ହୋଇଥିଲା ।ପାରମ୍ପାରିକ ବାଦ୍ୟ ନୃତ୍ୟ ସାଙ୍ଗକୁ ବିଜେଡିର ଜୟଧ୍ୱନୀ ଶୋଭାଯାତ୍ରାକୁ କରିଥିଲା ମୁଖରିତ । ବାଟରେ ଥାନା ଛକସ୍ଥ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଶ୍ରୀ ନାଏକ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପହଁଞ୍ଚି ଥିଲା । ଏହି ଅଭିଯାନରେ ସଦର ବିଧାୟିକା ପ୍ରାର୍ଥିନୀ ମୀନା ମାଝୀ, ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର,କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି କାନେନ ବିହାରୀ ପହି, ପୂର୍ବତନ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ, ସାଂସଦ ଚନ୍ଦ୍ରାଣୀ ମୁର୍ମୁ,ଜିଲ୍ଲାପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, କେନ୍ଦୁଝରଗଡ ଉପନଗରପାଳ ବରଦା ପ୍ରସନ୍ନ ଦାସ, ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକ, ଅନୁସୂଚୀତ ଜାତିସେଲ୍ର ସଭାପତି ଭରତଚନ୍ଦ୍ର ପାତ୍ର, କୃଷକ ସେଲ୍ର ସଭାପତି ଦୀପକ ରାଜ, ଯୁବନେତା ସୂର୍ଯ୍ୟନାରାୟଣ କର, ଦେବୁ ପଟ୍ଟନାୟକ, କୈଳାଶ ନାଏକ, ବଡବିଲ ନଗରପାଳ ଲକ୍ଷ୍ମଣ ମହାନ୍ତ, ପାଟଣା ନିର୍ବାଚନ ପର୍ଯ୍ୟବେକ୍ଷକ ହିରଶ ଚୌଧୂରୀ, କେନ୍ଦୁଝର ନଗର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ସମେତ ଜିଲ୍ଲାର ବହୁ ଦଳୀୟ ସରପଞ୍ଚ,ସମିତି ସଭ୍ୟ, ଯୋଗଦେଇଥିଲେ । ଶ୍ରୀ ନାଏକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ହଜାର ହଜାର ସମର୍ଥଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କଲେ ଜଗନ୍ନାଥ
