ଖଡ଼ିଆଳଠାରେ ଏଡିଜେ କୋର୍ଟ ସ୍ଥାପନ ଦାବିରେ ବନ୍ଦ ପାଳନ

ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଏଡିଜେ କୋର୍ଟ ସ୍ଥାପନ ଦାବିରେ ମିଳିତ ନାଗରିକ ମଞ୍ଚ ପକ୍ଷରୁ ଖଡ଼ିଆଳ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ଖଡ଼ିଆଳ, ବୋଡେନ, ସିନାପାଲି ବ୍ଲକ ଓ ଖଡ଼ିଆଳ ଏନ୍‌ଏସି ଅଞ୍ଚଳ ଆଦି ବନ୍ଦ ରହିଛି । ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ କରି ନାରାବାଜି କରିଛନ୍ତି । ଏଥିପାଇଁ ଯାନ ବାହନ ଚଳାଚଳ ବନ୍ଦ ରହିଥିବା ବେଳେ ସରକାରୀ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ସବୁ ବନ୍ଦ୍‌ ରହିଛି । ଆନ୍ଦୋଳନକାରୀଙ୍କ ଅଭିଯୋଗ ହେଲା ଖଡ଼ିଆଳ, ସିନାପାଲି, ବୋଡେ଼ନ ଅଞ୍ଚଳର ଲୋକମାନେ କୋର୍ଟ କାମରେ ଦୀର୍ଘ ୧୦୦ ରୁ ୧୪୦ କିଲୋମିଟର ପର୍ଯ୍ୟନ୍ତ ନୂଆପଡା ଜିଲ୍ଲା ସଦର ମହୁକମା ଠାରେ ଥିବା ଏଡିଜେ କୋର୍ଟକୁ ଯାଇଥାନ୍ତି । ବହୁ ଦୂରତା ଥିବା କାରଣରୁ ଗୋଟିଏ ଦିନରେ କୋର୍ଟକୁ ଯିବା ଆସିବା ସମ୍ଭବ ହୋଇନଥାଏ । ଫଳରେ ନୂଆପଡା ଠାରେ ରାତ୍ରି ଯାପନ କରି ଖର୍ଚ୍ଚରେ ପଡୁଥିବା ଲୋକେ ଅଭିଯୋଗ କରି ଆସୁଛନ୍ତି । ଲୋକଙ୍କୁ କମ ଖର୍ଚ୍ଚରେ ଦ୍ୱାରମୁହଁରେ ନ୍ୟାୟ ଯୋଗାଇ ଦେବାପାଇଁ ୨୦୧୭/୧୮ ମସିହାରୁ ମିଳିତ ଭାବରେ ଖଡ଼ିଆଳ, ସିନାପାଲି, ବୋଡେ଼ନ ଓକିଲ ସଂଘ ଖଡ଼ିଆଳଠାରେ ଏଡିଜି କୋର୍ଟ ସ୍ଥାପନ କରିବା ପାଇଁ ସରକାରଙ୍କ ପାଖରେ ଦାବୀ କରି ଆସୁଛନ୍ତି ।ଏଥିପାଇଁ ମାନ୍ୟବର ହାଇକୋର୍ଟଙ୍କ ଠାରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇ ସାରିଥିବା ବେଳେ, ସିଏମ୍‌ଓ କାର୍ଯ୍ୟାଳୟରେ ସ୍ୱୀକୃତି ପାଇଁ ଫାଇଲ ଦୀର୍ଘ ବର୍ଷରୁ ପଡିରହିଛି । ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ନ୍ୟାୟ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ,ଖଡ଼ିଆଳ ଠାରେ ଏଡିଜି କୋର୍ଟ ସ୍ଥାପନରେ ଅହେତୁକ ବିଳମ୍ବ ହେଉଛି । ଅପରପକ୍ଷେ ଖଡ଼ିଆଳ ଠାରେ ଏଡିଜି କୋର୍ଟ ସ୍ଥାପନ ନହେଲେ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦିଆଯାଇଛି । ସେହିପରି ସିନାପାଲି ବ୍ଲକ୍‌ର କାପଶି ଛକ, ଯୁଗେନପଦର୍‌ ଛକ ତଥା ଅନ୍ୟାନ୍ୟ ଛକ ମାନଙ୍କରେ ବନ୍ଦ ପାଳନ କରାଯାଇଛି । ଏହି ଆନ୍ଦୋଳନରେ ପୂର୍ବତନ ଜିଲ୍ଲାପରିଷଦ ଲିଙ୍ଗରାଜ ଘିଭେଲା, ସରପଞ୍ଚ ସଂଘର ସଭାପତି ଖୁଟୁରାମ ସୁନାନୀ, ସମିତି ସଂଘ ସଭାପତି ମନିସ କୁମାର ପଟେଲଙ୍କ ସମେତ ଓକିଲ ସଂଘର ଅନେକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

Comments (0)
Add Comment