ନାକଚଣା ଦୁଆରେ ତିନି ରଥ

ପୁରୀ : ସରିଲା ରଥର ଦକ୍ଷିଣମୋଡ । ଆଉ ଏବେ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ଶରଧାବାଲିରେ ଦେବିଦଳନ, ନନ୍ଦିଘୋଷ ଓ ତାଳଧ୍ୱଜ ରଥ ଦଣ୍ଡାୟମାନ । ତେବେ ଗତକାଲି ଦୁଇ ରଥର ଦକ୍ଷିଣ ମୋଡ଼ ସରିଥିବା ବେଳେ ଆଜି ହୋଇଥିଲା ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ । ସେପଟେ ଗତକାଲି ବର୍ଷା ଯୋଗୁଁ ଅଧାରୁ ବନ୍ଦ ରହିଥିଲା ଦକ୍ଷିଣ ମୋଡ଼ । ତେବେ ଦକ୍ଷିଣ ମୋଡ଼ ନୀତିକୁ ନେଇ ଗତକାଲି ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ହୋଇଥିଲା । ପ୍ରଥମେ ପୂଜାପଣ୍ଡା ସାମନ୍ତ ମାନେ ତିନି ବାଡରୁ ଆଜ୍ଞାମାଳ ଧରି ରଥ ନିକଟରେ ପହଂଚିବା ପରେ ପ୍ରଥମେ ତାଳଧ୍ୱଜ ପରେ ନନ୍ଦିଘୋଷ ଓ ଶେଷରେ ଦେବିଦଳନ ରଥରେ ଆଜ୍ଞମାଳ ଦିଆଯାଇଥିଲା । ତା ପରେ ରଥଟଣା ହୋଇଥିଲା । ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସାମ୍ନାରେ ଛିଡାହୋଇଥିବା ତିନି ରଥକୁ ଗୋଟିଏ ପରେ ଗୋଟିଏ ନାକଚଣା ଦ୍ୱାର ନିକଟକୁ ନିଆଯାଇଥିଲା । ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ଆଡ଼ପ ମଣ୍ଡପ ଦର୍ଶନ । ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରି ନାକଚଣା ଦ୍ୱାର ଦେଇ ପ୍ରସ୍ତାନ କରୁଛନ୍ତି । ଆସନ୍ତାକାଲି ନବମୀ ଦର୍ଶନ ବା ସଂଧ୍ୟା ଦର୍ଶନ ଅପରାହ୍ନ ୫ଟା ଯାଏଁ ରହିବ ।ତା ପରେ ଆରମ୍ଭ ହେବ ବାହୁଡ଼ା ପ୍ରସ୍ତୁତି ।

Comments (0)
Add Comment