ଆନ୍ତଃରାଜ୍ୟ ଡକାୟତ ଗିରଫ

ବାଲିଗୁଡା : ପଣ୍ଡ ହେଲା ଡକାୟତି ଯୋଜନା । ପୋଲିସ୍ ପଞ୍ଝାରେ ଆନ୍ତଃ ରାଜ୍ୟ ଡକାୟତି ଗ୍ୟାଙ୍ଗ୍ । ଘଟଣାସ୍ଥଳରୁ ତିନିଜଣ ଡ଼କାୟତଙ୍କୁ ପୋଲିସ୍ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଚମ୍ପଟ ମାରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଅଞ୍ଚଳରୁ ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ଏବଂ ଅସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶରେ ପୋଲିସ୍ ପକ୍ଷରୁ ଚାଲିଛି ସ୍ଫେସାଲ୍ ଡ୍ରାଇଭ୍ । ଏଭଳି ସ୍ଥିତିରେ ସାରଙ୍ଗଡ଼ ପୋଲିସ୍ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ନାକା ଲଗାଇ ବିଳମ୍ବିତ ରାତିରେ ଗାଡ଼ି ମୋଟର ଯାଞ୍ଚ୍ କରାଯାଉଥିବା ବେଳେ ମହାରାଷ୍ଟ୍ର ନମ୍ବର ଥିବା ଏକ ଅଲଟୋ କାର୍ ପୋଲିସକୁ ଦେଖି ହଡ଼ବଡ଼େଇ ଯାଇଥିଲା । ଗାଡ଼ି ନିକଟକୁ ଯାଇ ପୋଲିସ୍ ଯାଞ୍ଚ୍ କରିବାବେଳେ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ୍, ଗୋଟିଏ ଏୟାର ଗନ୍, ଗୋଟିଏ ଭୁଜାଲି, ଦୁଇଟି ଛୁରୀ ସମେତ ମୋବାଇଲ୍ ଓ ଟଙ୍କା ଜବତ କରିଛି ପୋଲିସ୍ । ଗିରଫ ତିନିଜଣ ମହାରାଷ୍ଟ୍ରର ମହମ୍ମଦ ଅରିଫ୍ ଅନସାରୀ,ସାବନ ସାହା ଓ ସେଖ୍ ମୁସ୍ତାଫା ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ପୋଲିସ୍ ଯାଞ୍ଚ୍ ବେଳେ କୌଶଳକ୍ରମେ ଅନ୍ୟ ଦୁଇଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ଏନେଇ ସାରଙ୍ଗଡ଼ ଥାନା କେସ୍ ନଂ ୬୭/୨୦୨୫ରେ ଏକ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଚଳାଇଥିବା କହିଛନ୍ତି ଜି.ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ।

Comments (0)
Add Comment