ସମ୍ବଲପୁର : ସ୍ଥାନୀୟ ପଡିଆବାହାଲ ରେଞ୍ଜ ଅନ୍ତର୍ଗତ ସାପଲହରା ଗାଁ ପୋଖରୀରେ କିଛିଦିନ ରହି ପରେ ଗହନ ଚିକିତ୍ସା ସତ୍ତେ୍ୱ ମରିଯାଇଥିବା ଦନ୍ତାହାତୀ ବିଷୟରେ ଆଜି ବନବିଭାଗର ସ୍ପଷ୍ଟୀକରଣ ସାମ୍ନାକୁ ଆସିଛି । ଏ ବିଷୟରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଏଫଓ ବିଶ୍ୱନାଥ ନିଳାମ୍ବର ସ୍ପଷ୍ଟ କରିଛନ୍ତି ଯେ ଗୁଳି ଦ୍ୱାରା ଆହତ ହେବା ଫଳରେ ଆନ୍ତରିକ ସଂକ୍ରମଣ ଯୋଗୁଁ ହାତୀର ମୃତ୍ୟୁ ହୋଇଛି । ସେ କହିଲେ ପୂର୍ବରୁ ବନ୍ଧୁକ ଗୁଳି ଦ୍ୱାରା ଆହତାବସ୍ଥାରେ ଗତ ମେ ୨୮ ତାରିଖ ଦିନ ତା’କୁ ଚିହ୍ନଟ କରାଗଲା ଓ ସେହି ସମୟରେ ତାହାର ଚିକିତ୍ସା ମଧ୍ୟ କରାଯାଇଥିଲା । ସ୍ୱସ୍ଥ ହୋଇ ସ୍ୱାଭାବିକ ରୂପେ ଭୋଜନ ଗ୍ରହଣ କରିବା ପରେ ତାହାକୁ ଜଙ୍ଗଲରେ ଚରିବୁଲିବା ପାଇଁ ଛାଡ଼ି ଦିଆଯାଇଥିଲା । କିଛି ଦିନ ପରେ କିନ୍ତୁ ସାପଲହରା ଗାଁ ପୋଖରୀରେ ସେ ଫସି ରହିଥିବା ପରିଲକ୍ଷିତ ହେଲା ଓ ଉଦ୍ଧାର ପାଇଁ ଶତଚେଷ୍ଟା ସହିତ ତାହାର ଡାହାଣ ଆଗ ଗୋଡ଼ରେ ଆଘାତ ପାଇଁ ଚିକିତ୍ସା ମଧ୍ୟ କରା ଯାଇଥିଲା । ମୃତ ହାତୀର ପୋଷ୍ଟମର୍ଟମରୁ ପରେ ଜଣାପଡ଼ିଲା ଯେ ଆହତ ଗୋଡ଼ର ହାଡ଼ରେ ପୂର୍ବରୁ ବନ୍ଧୁକ ଗୁଳିଟି ରହିଯାଇଥିଲା । ଏଥିପାଇଁ ସେଠାରେ ସଂକ୍ରମଣ ବଢ଼ିଗଲା ଓ ଏହା କାଳକ୍ରମେ ତା’ର ହୃଦୟ, ଲିଭର ଓ କିଡନୀ ଆଦି ଆନ୍ତରିକ ଅଙ୍ଗ ସବୁ ପ୍ରଭାବିତ ହେଲା ପରେ ସେପ୍ଟିକ ଯୋଗୁଁ ତା’ର ମୃତ୍ୟୁ ଘଟିଲା । ଏହି ସମ୍ପର୍କରେ ପ୍ରଥମେ ତିନି ଜଣଙ୍କୁ ଗତକାଲି ଅଟକ ରଖି ପଚରାଉଚରା କରାଯିବାରୁ ଜଣେ ନିଜ ଦୋଷ ସ୍ୱୀକାର କଲା ଓ ତାହାକୁ ଆଜି ଗିରଫ କରାଯାଇଛି । ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବା ଆଶଙ୍କାରେ ଅଭିଯୁକ୍ତର ନାଁ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, ତଥାପି ସେ ନିକଟସ୍ଥ ଗାଁ କେନ୍ଦ୍ରାପାଟ ନିବାସୀ ବୋଲି ଜଣାପଡିଛି ଓ ତା’ଘରୁ ଏହି ଅପରାଧରେ ବ୍ୟବହୃତ ଦେଶୀ ବନ୍ଧୁକ ଓ ଏକ ଫାର୍ସା ମଧ୍ୟ ଜବତ କରାଯାଇଛି । ଏହି ଅପରାଧରେ ଲିପ୍ତ ତା’ର ଜଣେ ସହଯୋଗୀ ଫେରାର ହୋଇଯାଇଛି ଓ ତନାଘନା ସହିତ ତା’କୁ ଖୋଜା ଯାଉଛି ।