ଆଜିଠୁ ପରିକ୍ରମା ନିମନ୍ତ୍ରଣ: କାର୍ଡ ବାଣ୍ଟିବା ପାଇଁ ବାହାରିଲେ ୩୦ଟି ଦଳ

ପୁରୀ : ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ସହ ଯୋଡିହେବ ଭାରତବର୍ଷର କୋଣ ଅନୁକୋଣରେ ଥିବା ଅନେକ ଶକ୍ତିପୀଠ, ଭାରତବର୍ଷର ୪ ଧାମ ଓ ୧୨ଜୌତିଲିଙ୍ଗ । ଏହା ସହ ଓଡିଶାରେ ଥିବା ପାତାଳୀ ଶ୍ରୀକ୍ଷେତ୍ର ଓ ଦାରୁ ଉତ୍ପତ୍ତି ସ୍ଥଳ । ସେଥିପାଇଁ ଆଜି ଠାରୁ ଆରମ୍ଭ ହୋଇଛି ନିମନ୍ତ୍ରଣ ପର୍ବ ।
ଆସନ୍ତା ଜାନୁଆରୀ ୧୭ ରେ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭକ୍ତଙ୍କ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କୁ ଲୋକାର୍ପିତ କରିବେ । ତେବେ ଏହି କାର୍ଯ୍ୟକ୍ରମକୁ ସାରା ଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଧର୍ମ ପିଠ, ମନ୍ଦିରକୁ ନିମନ୍ତ୍ରଣ କରାଯାଉଛି । ଏ ନେଇ ଆଜିଠାରୁ ନିମନ୍ତ୍ରଣ ଯାତ୍ରା ଆରମ୍ଭ ହୋଇଛି । ବଡ ଦାଣ୍ଡ ରେ ଥିବା ନିଳାଦ୍ରୀ ଭକ୍ତ ନିବାସରୁ ଏହି ନିମନ୍ତ୍ରଣ ଯାତ୍ରା ଆରମ୍ଭ ହୋଇଛି । ବରିଷ୍ଠ ସେବାୟତ, ଶ୍ରୀ ମନ୍ଦିର ଓ ଜିଲା ପ୍ରଶାସନ ଅଧିକାରୀଙ୍କୁ ନେଇ ହୋଇଥିବା ସ୍ୱତନ୍ତ୍ର ଟିମ ଓଡ଼ିଶା ଏବଂ ଭାରତ ବିଭିନ୍ନ ସ୍ଥାନକୁ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଥମେ ପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ଯାଇ ସେଠାରେ ପ୍ରଭୂ ଲିଙ୍ଗରାଜ ଠାକୁର୍‌ଙ୍କୁ ନିମନ୍ତ୍ରଣ କରାଯାଇଛି । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ନିମନ୍ତ୍ରଣ ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ୍‌ ଓଡ଼ିଶା ଓ ଭାରତ ର ବିଭିନ୍ନ ଧର୍ମ ପୀଠ, ମନ୍ଦିରକୁ ଯାଇ ନିମନ୍ତ୍ରଣ କରିବେ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା ହୋଇଚି । ଓଡ଼ିଶାରେ ୧୩ ଟି ଟିମ୍‌ ଓ ଓଡିଶା ବାହାର ପାଇଁ ୧୭ ଟି ଟିମ୍‌ ଗଠନ ହେଇଛି । ମୋଟ ୩୦ଟି ଟିମ୍‌ ନିମନ୍ତ୍ରଣ ଯାତ୍ରା କରିଛନ୍ତି । ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ସହିତ ପ୍ରମୁଖ ଦେବ ପିଠ କୁ ନିମନ୍ତ୍ରଣ କରାଯିବ । ସେହିପରି ଦେଶ ରେ ଥିବା ବିଭିନ୍ନ ପ୍ରମୁଖ ଧର୍ମ ପୀଠ, ଧର୍ମ ଗୁରୁ ଙ୍କୁ ନିମନ୍ତ୍ରଣ କରାଯିବ । ସବୁ ଟିମ୍‌ ସହିତ ନୋଡାଲ ଅଫିସର ରହିଛନ୍ତି । ସେମାନେ ସବୁ ପରିଚାଳନା କରିବେ । ଆଜି ସକାଳୁ ଧାର୍ଯ୍ୟ ହୋଇଥିବା ଶୁଭ ମୁହୂର୍ତ୍ତରେ ପୂଜାର୍ଚ୍ଚନା ପରେ ନିମନ୍ତ୍ରଣ ଯାତ୍ରା ଆରମ୍ଭ ହେଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାଶ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ବରିଷ୍ଠ ସେବାୟତ ଓ ପରିଚାଳନା କମିଟି ସଦସ୍ୟ ମାନେ ଉପସ୍ଥତ ରହି ନିମନ୍ତ୍ରଣ ଯାତ୍ରାର ଶୁଭାରମ୍ଭ କରିଥଲେ । ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ କହିଛନ୍ତି ମହାପ୍ରଭୁ ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ କୁ ଭବ୍ୟ ଆକାରରେ ଆୟୋଜନ କରାଯିବ । ଏଥିରେ ସବୁ ଦିଗ କୁ ଧ୍ୟାନ ଦିଆଯାଇ ସ୍ମରଣୀୟ କରାଯିବ । ପ୍ରଥମେ ବିଭିନ୍ନ ଧର୍ମ ପୀଠକୁ ନିମନ୍ତ୍ରଣ ପରେ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯିବ । ତେବେ ନିମନ୍ତ୍ରଣ ପାଇଁ ସ୍ୱତନ୍ତ୍ର କାର୍ଡ କରାଯାଇଛି । ଏକ ସୁନ୍ଦର ନିମନ୍ତ୍ରଣ ପତ୍ର ସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି କପଡା, ମହାପ୍ରସାଦ, ତୁଳସୀ, ଗୁଆ, ନଡିଆ ପରିକ୍ରମା ମାର୍ଗ ର ତଥ୍ୟ ଥିବା ଏକ ପୁସ୍ତକ ଏହି କାର୍ଡରେ ରହିଛି ତେବେ ମହାପ୍ରଭୁଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଛି ।

Comments (0)
Add Comment