ରାୟଗଡା: ଜେକେ ଗ୍ରୁପ୍ରର ପ୍ରତିଷ୍ଠାତା ଲାଲା କମଳାପତ୍ ସିଂଘାନିଆଙ୍କ ୧୩୯ ତମ ଜନ୍ମଦିନ ପାଳନ ହୋଇଯାଇଛି । ଏହି ଅବସରରେ କମ୍ପାନୀ ପରିସରରେ ଥିବା ଲାଲା କମଳାପତ୍ ସିଂଘାନିଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଜେକେ କାଗଜ କଳର ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ଉପସଭାପତି ବିନୟ ଦ୍ୱିବେଦୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହ କମ୍ପାନୀର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଭାରତୀୟ ପୁଲିସ ପ୍ରଶାସନିକ ସେବା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାଗଜ କଳର ସାମାଜିକ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଉ ଥିବାରୁ ଭୂୟସୀ ପ୍ରଶଂସା କରିଥିଲେ । କାଗଜ କଳ ଯୋଗୁଁ ରାୟଗଡ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଛି ବୋଲି ପ୍ରକାଶ କରିଥିଲେ । କାଗଜ କଳରୁ ପ୍ରସ୍ତୁତ କାଗଜ ଆଜି ଦେଶ ବିଦେଶରେ ଗ୍ରାହକଙ୍କ ଦ୍ୱାରା ଆଦୃତ ହୋଇପାରିଛି ବୋଲି ପ୍ରକାଶ କରିବା ସହ କମ୍ପାନୀର ଆହୁରି ଅଗ୍ରଗତି କରୁ ବୋଲି ଶ୍ରୀ ଶର୍ମା ପ୍ରକାଶ କରିଥିଲେ ।
କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ୨୫ ବର୍ଷ ୪ ଜଣ ଓ ୪୦ ବର୍ଷ ପୂର୍ତ୍ତି କରି ଥିବା ୨ ଜଣଙ୍କୁ ଯଥାକ୍ରମେ ରୌପ୍ୟ ଓ ସ୍ୱର୍ଣ୍ଣପଦକ ଦେଇ ଅତିଥି ମାନେ ସମ୍ମାନିତ କରିଥିଲେ ।
କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଲକ୍ଷ୍ମୀପତ୍ ସିଂଘାନିଆ ପବ୍ଲିକ ସ୍କୁଲ ଓ ଲକ୍ଷ୍ମୀପତ୍ ହାଇ ସ୍କୁଲ ଓ ନୃତ୍ୟ ସଦନର ଛାତ୍ରଛାତ୍ରୀ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଅନ୍ୟାନ୍ୟ ଅତିଥି ଭାବେ କାଗଜ କଳର ବରିଷ୍ଠ ଅଧିକାରୀ, ସାମ୍ବାଦିକ, ରାୟଗଡାର ଅନେକ ବରିଷ୍ଠ ନାଗରିକ ଓ ଜନପ୍ରତିନିଧି ମାନେ ଯୋଗଦାନ କରିଥିଲେ ।