ଭୁବନେଶ୍ୱର: ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ ରାତିରେ ସେ ତାଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା।
ବୁଧବାର ବିଳମ୍ବିତ ରାତିରେ ଅବସର ବେଉରିଆ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତୁରନ୍ତ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅବସର ବେଉରିଆଙ୍କର ହୃଦଘାତରେ ପରଲୋକ ହୋଇଥିବା ତାଙ୍କ ପତ୍ନୀ ତୃପ୍ତି ସୂଚନା ଦେଇଛନ୍ତି।
ଅବସର ବେଉରିଆ ଜାପାନ, ରୁଷିଆ, ଆମେରିକା, ୟୁଏଇ, ମ୍ୟାନମାର, ଶ୍ରୀଲଙ୍କା ଓ ମାଡାଗାସ୍କାରରେ ଥିବା ଭାରତୀୟ ଦୂତାବାସରେ କାମ କରିଛନ୍ତି। ସେ ଆଫ୍ରିକୀୟ ରାଷ୍ଟ୍ର ମାଡାଗାସ୍କାରରେ ୧୯୯୯ ମସିହା ସେପ୍ଟେମ୍ବରରୁ ୨୦୦୧ ମସିହା ନଭେମ୍ବର ମାସ ପର୍ଯ୍ୟନ୍ତ ଭାରତୀୟ ରାଷ୍ଟ୍ରଦୂତ ଭାବେ କାମ କରିଥିଲେ।
ଅବସର ବେଉରିଆଙ୍କ ଦୁଇ ଝିଅ ଆମେରିକାରେ ଅଛନ୍ତି। ସେମାନେ ଆସିଲେ ତାଙ୍କ ଶବ ସଂସ୍କାର ହେବ ବୋଲି ଅବସର ବେଉରିଆଙ୍କ ପତ୍ନୀ କହିଛନ୍ତି।