ପୁରୀ: ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଉଦଘାଟନ କରିବେ । ତେବେ ଆଜି ପୁରୀ ଗସ୍ତରେ ଆସି ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର । ସମଙ୍ଗ ପାର୍କିଂ, ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପାର୍କିଂ ଏବଂ ତୀର୍ଥଯାତ୍ରୀ କେନ୍ଦ୍ର, ଶ୍ରୀମାର୍ଗ ଏବଂ ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ନିଜେ ବୁଲି ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ । ତେବେ ଆସନ୍ତାକାଲି ଅର୍ଥାତ୍ ୧୧ ତାରିଖ ରାତି ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଇ ଶ୍ରୀମନ୍ଦିର ପ୍ରଶାସନକୁ ପୂଜାବିଧି ନିମନ୍ତେ ଓବିସିସି ଓ ଟାଟା ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସେବାୟତଙ୍କର କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଏହି ବୈଠକକୁ ଅଧ୍ୟକ୍ଷତା କରିଥିବା ବେଳେ ସେବାୟତଙ୍କ ସୁବିଧା ଅସୁବିଧା ସମ୍ପର୍କରେ ସେ ଅବଗତ ହୋଇଥିଲେ । ସେବାୟତଙ୍କ ପରିବାରର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର କୋଚିଂ ବ୍ୟବସ୍ଥା, କୋଚିଂ ପାଇଁ ଆର୍ଥିକ ସାହାଯ୍ୟ ପ୍ରଦାନ ଏବଂ ସେବାୟତଙ୍କର ସ୍ୱାସ୍ଥ୍ୟ ବୀମା ରାଶିକୁ ଦଶଲକ୍ଷକୁ ବୃଦ୍ଧି କରାଯିବା ନେଇ ଆଲୋଚନା ହୋଇଥିଲା । ତେବେ ଏହି ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି ସୁରେଶ ଚନ୍ଦ୍ର ମହାପାତ୍ର ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଖୁବଶୀଘ୍ର ପୁରୀରୁ ସମସ୍ତ ଜିଲ୍ଲା ମୁଖ୍ୟାଳୟକୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ ଚଳାଚଳ ନେଇ ରାଜ୍ୟ ସରକାର ବ୍ୟବସ୍ଥା କରିବେ । ପୁରୀକୁ ଯେଭଳି ଜଗନ୍ନାଥ ପ୍ରେମୀ ଓ ଭକ୍ତ ବିନା କୌଣସି ବାଧାରେ ଆସିପାରିବେ ସେ ନେଇ ମୁଖ୍ୟମନ୍ତ୍ରୀ ଏହି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଓଡିଶା ବାସୀଙ୍କ ଉଦ୍ଦେଶ୍ୟରେ ଖୁବଶୀଘ୍ର ଶୁଭାରମ୍ଭ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।