ପୁରୀ: ଦଶହରାରେ ଦର୍ଶକଙ୍କୁ ନୂଆ ଭେଟି । ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ ମାଲ୍ୟଗିରି । ଦଶହରାରେ ଦର୍ଶକ ମାନଙ୍କ ପାଇଁ ଏହି ଫିଲ୍ମ ରିଲିଜ ହେବାକୁ ଯାଉଥିବା ବେଳେ ଫିଲ୍ମ ରିଲିଜ ହେବା ପୂର୍ବରୁ ଏଥିରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀ ମାନେ ଆଜି ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି । ଓଲିଉଡ଼ ଅଭିନେତା ବାବୁଶାନ୍, ଅମ୍ଲାନ, ଶିବାନୀ ସଂଗୀତା, ଏଲିନା ଓ ସୂର୍ଯ୍ୟମୟୀ ଏହି ଫିଲ୍ମରେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀ ଆଜି ଅପରାହ୍ନରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଫିଲ୍ମର ଶୁଭକାମନା ପାଇଁ ପ୍ରାର୍ଥନା କରିଛନ୍ତି । ଏଥିସହ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ ସହ ଫିଲ୍ମର ସଫଳତା କାମନା ମଧ୍ୟ କରିଛନ୍ତି । ତେବେ ଆଈ ମା ଗପକୁ ନେଇ ଏହି ଫିଲ୍ମ ତିଆରି ହୋଇଥିବା ବେଳେ ଏଥିରେ ଲଭ୍ ଷ୍ଟୋରି ସହ ଆକ୍ସନ ମଧ୍ୟ ରହିଛି । ତେଣୁ ଦଶହରା ବଜାରରେ ଫିଲ୍ମ ମାଲ୍ୟଗିରି ଦର୍ଶକଙ୍କ ମନକୁ ବେଶ୍ ଛୁଇଁବ ବୋଲି ଆଶା ରଖିଛନ୍ତି ବାବୁଶାନ୍ । ସେପଟେ ପୁରୀରେ ଗୋଟିଏ ହେଲେ ବି ସିନେମା ହଲ୍ ନ ଥିବାରୁ ଖୁବଶୀଘ୍ର ଏଠାରେ ଏକ ସିନେମା ହଲ୍ ନିର୍ମାଣ କରାଯାଉ ବୋଲି ଅନୁରୋଧ କରିଛନ୍ତି ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି ।