ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଂଗରେ ମୁହଁ ଖୋଲିଲେନି ଆଇନମନ୍ତ୍ରୀ

ପୁରୀ:ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଆସନ୍ତାବର୍ଷ ରଥଯାତ୍ରା ସମୟରେ ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଛି । ତେବେ ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେବାକୁ ଏଡ଼ାଇ ଯାଇଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ଯାହାକୁ ନେଇ ପୁଣି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବ କି ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଛି । ଶ୍ରୀ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଉପରେ ଆଇନ ମନ୍ତ୍ରୀ କୌଣସି ପ୍ରତିକ୍ରିୟା ରଖି ପାରନ୍ତି ବୋଲି ସମସ୍ତେ ଆଶା ରଖିଥିଲେ । ହେଲେ ରତ୍ନ ଭଣ୍ଡାର ପ୍ରସଂଗରେ ଆଇନ ମନ୍ତ୍ରୀ ମୁହଁ ବୁଲେଇ ଚାଲିଯିବା ନେଇ ନାନା ପ୍ରଶ୍ନ ଉଠିଛି । ଆସନ୍ତା ରଥଯାତ୍ରାରେ ରତ୍ନ ଭଣ୍ଡାର ଖୋଲିବ ନା ଆଉ କିଛି ବାହାନା କରି ସରକାର୍‌ ଏହା ଖୋଲିବେ ନାହିଁ ସେ ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ପୁରୀ ଆସିଥିବା ଆଇନ ମନ୍ତ୍ରୀ ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ କିଛି ବି ପ୍ରତିକ୍ରିୟା ନ ଦେବାକୁ ନେଇ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟନାରାୟଣ ପଟ୍ଟନାୟକ କଡ଼ା ସମାଲୋଚନା କରିଛନ୍ତି । ରତ୍ନ ଭଣ୍ଡାର ଖୋଲିବା ନେଇ ଶ୍ରୀ ମନ୍ଦିର ପରିଚାଳନା କମିଟି ସ୍ପଷ୍ଟ କରିସାରିଥିବା ବେଳେ ଆଇନ ମନ୍ତ୍ରୀ ନୀରବ ରହିବା ସମସ୍ତଙ୍କୁ ପୁଣି ଦ୍ୱନ୍ଦ୍ୱରେ ପକାଇଛି । ରତ୍ନ ଭଣ୍ଡାରକୁ ନେଇ କିଛି ବିଭ୍ରାଟ ହୋଇଥିବାରୁ ସରକାର ଏହା ଖୋଲିବାକୁ ପଛ ଘୁଂଚା ଦେଉଥିବା କଂଗ୍ରେସ ଅଭିଯୋଗ କରିଛି । ତେବେ ରତ୍ନ ଭଣ୍ଡାର ତୁରନ୍ତ ସରକାର ଖୋଲିବା ନେଇ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।

Comments (0)
Add Comment