ଦଶପଲ୍ଲା : ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନାର ଜଣେ ପୁଲିସ କର୍ମଚାରୀଙ୍କ ଦବଙ୍ଗଗିରି ସୀମା ଟପିଛି । ଗତକାଲି ସନ୍ଧ୍ୟା ୭ଟାରେ ଜାମୁସାହି ନିକଟସ୍ଥ ଦୁଡିକିପାଜୁ ବସଷ୍ଟାଣ୍ଡରେ ଦୁଇଜଣ ଯୁବକ କଥା ହେଉଥିବା ସମୟରେ ବାଣୀଗୋଛା ଥାନା ଏସ୍ଆଇ ଉଦ୍ୟନାଥ ସାହୁ ଦୁଇ ଯୁବକଙ୍କୁ ନିର୍ମମ ଭାବରେ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ଏ ନେଇ ସମ୍ପୃକ୍ତ ଯୁବକମାନେ ବାଣୀଗୋଛା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପାଲଟା ସେମାନଙ୍କୁ ଡକାୟତି ମାମଲାରେ ଫସାଇବାକୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ଗତକାଲି ସନ୍ଧ୍ୟାରେ ଦୁଡିକିପାଜୁ ଫରେଷ୍ଟ ବିଟ୍ ସମ୍ମୁଖରେ ଥିବା ବସଷ୍ଟାଣ୍ଡରେ ଜାମୁସାହି ଗ୍ରାମର ସୁଶାନ୍ତ ତ୍ରିପାଠୀ ଓ ସୌମ୍ୟରଞ୍ଜନ ଶତପଥୀ ବିଦ୍ୟୁତ୍ ବିଲ୍ ନେଇ କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ବାଣୀଗୋଛା ଥାନାର କିଛି କର୍ମଚାରୀ ପାଟ୍ରୋଲିଂରେ ଯାଉଥିବା ବେଳେ ସେଠାରେ ଅଟକି ପଚରାଉଚରା କରିଥିଲେ । ଯୁବକମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ନେଇ ନିଜର ପରିଚୟପତ୍ର ଓ ଇଲେକ୍ଟ୍ରିବିଲ୍ ଦେଖାଇଥିଲେ । ମାତ୍ର ପାଟ୍ରୋଲିଂ ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀ କୌଣସି କଥା ନ ଶୁଣି ଦୁଇ ଯୁବକଙ୍କୁ ମାଡ଼ ମାରିଥିଲେ । ଫଳରେ ଉଭୟଙ୍କ ପିଠି, ଡେଣା ଓ ହାତରେ ଗଭୀର ଆଘାତ ଲାଗିଛି । ଏହାପରେ ଉଭୟ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ବାଣୀଗୋଛା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଥାନା ଅଧିକାରୀ ସଞ୍ଜୟ କୁମାର ମଲିକ ଛୁଟିରେ ଥିବା ବେଳେ ପୁଲିସ କର୍ମଚାରୀଙ୍କ ଏଭଳି ଦବଙ୍ଗଗିରିକୁ ସାଧାରଣରେ ନାପସନ୍ଦ କରାଯାଇଛି । ଥାନା ଦାୟିତ୍ୱରେ ଥିବା ଏସ୍ଆଇ ପ୍ରଫୁଲ୍ଲ ଦେଓ ସେହି ସମୟରେ ଗାଡ଼ିରେ ଉପସ୍ଥିତ ଥିବା ଶୁଣିବାକୁ ମିଳୁଥିବା ବେଳେବେଳେ ମାଡ଼ ଘଟଣାକୁ ଜାଣି ନଥିବା କହି ସଫେଇ ଦେଇଛନ୍ତି । ଏପରିକି କିଛି ବ୍ୟକ୍ତି ଡକାୟତି ପାଇଁ ଉଦ୍ୟମ କରୁଥିବା ନେଇ କଣ୍ଟ୍ରୋଲ୍ ରୁମକୁ ଫୋନ ଆସିଥିବାରୁ ପାଟ୍ରୋଲିଂରେ ଯାଇଥିବା କହିଛନ୍ତି । ବାଣୀଗୋଛା ପୋଲିସର ଏଭଳି ଦବଂଗଗିରିକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି ।