ଭାରସାମ୍ୟ ହରାଇ ଓଲଟିଲା ଶାଳ ମଞ୍ଜି ବୋଝେଇ ଟ୍ରକ୍‌ , ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ବାଲିଗୁଡ଼ା: ଭାରସାମ୍ୟ ହରାଇ ଓଲଟିଲା ଶାଳ ମଞ୍ଜି ବୋଝେଇ ଟ୍ରକ୍‌ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗଦ୍ରଙ୍ଗିଆ ଘାଟି ନିକଟରେ । ସୂଚନା ପ୍ରକାରେ ଆଜି ସକାଳେ ବାଲିଗୁଡ଼ା ଥାନା ବାରଖମା ଗ୍ରାମରୁ (ଏମ୍‌ ଏଚ୍‌ ୪୦ ସିଏମ୍‌-୬୧୨୮) ଏକ ୧୪ ଚକିଆ ଟ୍ରକ୍‌ ଶାଳ ମଞ୍ଜି ବୋଝେଇ କରି ବାଲିଗୁଡ଼ା ଦେଇ ୫୯ ନଂ ଜାତୀୟ ରାଜପଥଦେଇ ରାୟପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ବାଲିଗୁଡ଼ାରୁ ପ୍ରାୟ ୧୮ କିଲୋମିଟର ଯିବା ପରେ ଗଦ୍ରଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ବୁଲାଣି ରାସ୍ତାରେ ଏକ ଗାଈ ରାସ୍ତା ଉପରକୁ ଆସିଯିବା ଯୋଗୁଁ ଭାରସାମ୍ୟ ହରାଇ ପଡ଼ିଥିଲେ ଚାଳକ । ଯାହା ଫଳରେ ଟ୍ରକଟି ଓଲଟି ପଡିଥିଲା । ସୌାଭାଗ୍ୟ ବଶତଃ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଫେରିଥିବା ଜଣାପଡ଼ିଛି । ବାରମ୍ବାର ଏହି ଅଞ୍ଚଳରେ ଦୁର୍ଘଟଣା ଘଟି ଜନଜୀବନ ସମେତ ଗାଈଗୋରୁ ଏବଂ ଅନ୍ୟ ଜନ୍ତୁଙ୍କ ଜୀବନ ହାନି ଘଟୁଛି । ଏଣୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସମ୍ପୃକ୍ତ ସ୍ଥାନରେ ସାଇନ୍‌ ବୋର୍ଡ଼ ଲଗାଇବା ସହ ପ୍ରଶାସନ ରାଜରାସ୍ତାରେ ଗାଈଗୋରୁ,ଛେଳି, ମେଣ୍ଢା ଆଦି ଗୃହପାଳିତ ପଶୁ ଚଳପ୍ରଚଳ ପ୍ରତି ଗୁରୁତ୍ୱାରୋପ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି ।

Comments (0)
Add Comment