ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଦୁଇ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ଜିଲାର ଭୋଟରମାନେ ୮୫-କଣ୍ଟାମାଲ ଏବଂ ୮୬- ବୌଦ୍ଧ ବିଧାନସଭା ସହିତ ୧୩-କନ୍ଧମାଳ ଲୋକସଭା ଆସନ ପାଇଁ ନିଜ ମତ ସାବ୍ୟସ୍ତ କରିବେ । ଆସନ୍ତା ୨୦ ତାରିଖ ଦିନ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜିଲାରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଭୋଟଗ୍ରହଣ କାର୍ଯ୍ୟ ପରିଚାଳନାରେ ନିୟୋଜିତ କର୍ମଚାରୀ ମାନେ ଆବଶ୍ୟକ ସାମଗ୍ରୀ ନେଇ ମତଦାନ କେନ୍ଦ୍ରକୁ ଆସନ୍ତାକାଲି ଠାରୁ ଯିବା ଆରମ୍ଭ କରିବେ । ବୌଦ୍ଧ ପଂଚାୟତ କଲେଜ୍ ପରିସର ମଧ୍ୟରେ ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ, ତଥ୍ୟ କାଉଣ୍ଟର, ସାମଗ୍ରୀ କାଉଣ୍ଟର ଏବଂ ଅନ୍ୟାନ୍ୟ କାଉଣ୍ଟର ସ୍ଥାପିତ ହୋଇଛି । କର୍ମଚାରୀମାନଙ୍କୁ ଇଭିଏମ୍, ଭିଭିପାଟ ଏବଂ ନିର୍ବାଚନୀ ସାମଗ୍ରୀ କଲେଜ୍ ପରିସର ମଧ୍ୟରେ ଯୋଗାଇ ଦିଆଯିବ । ଏହା ଯେପରି ତ୍ରୁଟି ଶୂନ୍ୟ ଓ ସୁରୁଖୁରୁରେ ହେବ ସେ ନେଇ ପ୍ରଶାସନ ପକ୍ଷରୁ ଆଜି ମକଡ୍ରିଲ ଅନୁଷ୍ଠିତ ହୋଇଛି । ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଜେ. ସୋନାଲ, ଅତିରିକ୍ତ ଜିଲାପାଳ ତଥା କଣ୍ଟାମାଳ ନିର୍ବାଚନଣ୍ଡଳୀ ରିଟର୍ଣ୍ଣିଂ ଅଫିସର ଦାରିର୍ଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲାପାଳ ତଥା ବୌଦ୍ଧ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଫିସର ପ୍ରଭାସ ଚନ୍ଦ୍ର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହି ମକଡ୍ରିଲ କରାଯାଇଥିଲା । ଡେପୁଟି କଲେକ୍ଟର (ନିର୍ବାଚନ )ଶାଶ୍ୱତ ପ୍ରଧାନ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଙ୍କୁ ଆସନ୍ତା କାଲି ଠାରୁ ଭୋଟ ଗ୍ରହଣ ପର୍ଯ୍ୟନ୍ତ ଏବଂଭୋଟ ପରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ପରିସରକୁ ଫେରି ସମସ୍ତ ସାମଗ୍ରୀ ଫେରାଇବା ପର୍ଯ୍ୟନ୍ତ ସେମାନଙ୍କ ଦାୟିତ୍ୱ ଗୁରୁତ୍ୱ ପୂର୍ଣ୍ଣ ବୋଲି କହିବା ସହ, ସେମାନଙ୍କ ଦାୟିତ୍ୱ ଏବଂ କର୍ତ୍ତବ୍ୟ ସମ୍ପର୍କ ରେ ସମସ୍ତ ତାଲିମ ପ୍ରଦାନ କରିଥିଲେ । ଭୋଟଦାନ ପାଇ ଜିଲ୍ଲାରେ ସମୁଦାୟ ୪୧୧ ଗୋଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇ ୧୯୪ ଓ କଂଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ୨୧୭ ଗୋଟି ମତଦାନ କେନ୍ଦ୍ର କରାଯାଇଅଛି । ସେଥିମଧ୍ୟରୁ ୫୦ଟି ଆଦର୍ଶ ମତଦାନ କେନ୍ଦ୍ର ରୂପେ ପ୍ରସ୍ତୁତ କରାଯାଇଛି । ୪୦ ଟି ସଖି ମତଦାନ କେନ୍ଦ୍ର ରହିଥିବା ବେଳେ ୪ ଟି ଯୁବ ମତଦାନ କେନ୍ଦ୍ର, ଗୋଟିଏ ଭିନ୍ନକ୍ଷମ ମତଦାନ କେନ୍ଦ୍ର ରୂପେ ପ୍ରସ୍ତୁତ କରାଯାଇଛି । ଜିଲାରେ ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ୨ ଟି ମତଦାନ କେନ୍ଦ୍ରକୁ ଇକୋ ଫ୍ରେଣ୍ଡଲି ଓ ୨ ଟି ମତଦାନ କେନ୍ଦ୍ରକୁ ଏଥିନିକ ଥିମ ଅର୍ଥାତ ସାଂସ୍କୃତିକ ବୈଭବ ପ୍ରତୀକ ଭାବେ ପ୍ରସ୍ତୁତ କରାଯାଇଛି । ୧୮ ମଇ ରେ ପୁରୁଷ କର୍ମଚାରୀ ମାନଙ୍କୁ ବୁଥମାନଙ୍କୁ ପଠାଇବା କାମ,୧୯ ତାରିଖ ରେ ପିଙ୍କ ବୁଥ ମାନଙ୍କୁ ମହିଳା ମାନଙ୍କୁ ପଠାଇବା ଏବଂ ନିର୍ବାଚନ ଯେମିତି ସଫଳ ଭାବରେ ହେବ, ସେଥିପାଇଁ କର୍ମଚାରୀ ମାନେ ପ୍ରସ୍ତୁତ ରହିବା, ନିଜକୁ ଶାରୀରିକ, ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ଜ଼ିଲ୍ଲାପାଳ ତଥା ଜ଼ିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।