ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ମୁଖ୍ୟ ବଜାରରେ ଗତ ୨ ତାରିଖରେ ହୋଇଥିବା ସିରିଜ ଚୋରି ଘଟଣାରେ ଖପ୍ରାଖୋଲ ପୋଲିସକୁ ବଡ଼ ସଫଳତା ମିଳିଛି । ଦୀର୍ଘ ୧୫ ଦିନ ଧରି ପୋଲିସର ତନାଘନା ପରେ ଚୋରିରେ ସାମିଲ ଥିବା ଦୁଇ ଅଭିଯୁକ୍ତକୁ ଖପ୍ରାଖୋଲ ପୋଲିସ ଗିରଫ କରିଥିବା ବେଳେ ବିଭିନ୍ନ ଚୋରି ସାମଗ୍ରୀ ଉଦ୍ଧାର କରିଥିବା ଗୁରୁବାର ଥାନା ପରିସରରେ ଆୟୋଜିତ ପ୍ରେସ ମିଟରେ ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ଗତ ୨ ତାରିଖ ରାତିରେ ଲାଇନ୍ ନ ଥିବା ବେଳେ ବର୍ଷାର ସୁଯୋଗ ନେଇ ଖପ୍ରାଖୋଲର ଏକ ମୋବାଇଲ ଦୋକାନ, ଏକ ୱାଇଲଡିଂ ଦୋକାନ, ପରିବା ଦୋକାନ, କପସିପାଲି ଗାଁରେ ଏକ ମୋବାଇଲ ଦୋକାନ ସହ କିରାନା ଦୋକାନରେ ଗୋଟିଏ ରାତିରେ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ପୋଲିସର ତନାଘନା ପରେ ବୈଷୟିକ ଜ୍ଞାନ କୌଶଳ ସହାୟତାରେ ଦୁଇଜଣକୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ମାନେ ହେଲେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ମେଲଛାମୁଣ୍ଡା ଗାଁର ଶୁଭମ୍ ପଟ୍ଟନାୟକ (୨୪), ବେଲମୁଣ୍ଡା ଗାଁ ର ସନ୍ତୋଷ ସାହୁ (୨୫) ବୋଲି ପୋଲିସ ସୂଚନା ଦେଇଥିବା ବେଳେ ଚୋରି ସାମଗ୍ରି କିଣିବା ଅଭିଯୋଗରେ ବେଳମୁଣ୍ଡା ଗାଁର ଚିତ୍ତରଞ୍ଜନ ପାଣ୍ଡେ (୨୨) କୁ ଗିରଫ କରିଥିବା ବେଳେ ଚୋରି ଘଟଣାରେ ସଂପୃକ୍ତ ଦୁଇଜଣ କୁଣ୍ଡାଖାଇ ଗାଁ ର ଚୂଡାମଣି ଭୋଇ (୨୩)ଓ ବନ୍ଧବାହାଲ ଗାଁ ର ଦୁଃଖନାସନ ଓରଫ ଅମିତ ବିଶି (୨୫) କୁ କିଛିଦିନ ତଳେ ଅନ୍ୟ ଏକ ଚୋରି ଘଟଣାରେ ବରଗଡ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ କହିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ଅଭିଯୁକ୍ତଙ୍କୁ ଚଢାଉ ବେଳେ ତାଙ୍କ ଠାରୁ ଏକ ସ୍କୁଟି, ଏକ ଏଲିଡି ଟିଭି,୮ ଟି ମୋବାଇଲ,୧୧ଟି ଷ୍ଟିଲ ଥାଲିଆ ସମେତ ଅନେକ ଚୋରା ସାମଗ୍ରୀ ଓ ଚୋରି ଉପକରଣ ଜବତ କରିଥିବା ନେଇ ପୋଲିସ ଗଣମାଧ୍ୟମକୁ ପ୍ରେସ ମିଟରେ ସୂଚନା ଦେଇଛି । ଏହି ଅବସରରେ ଥାନା ଏସଆଇ ଗୋପୀନାଥ ମହାକୁଡ, ସଞ୍ଜୀବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।