ସୁବର୍ଣ୍ଣପୁର : କୁଷ୍ଠମୁକ୍ତ ଅନ୍ତେବାସୀମାନଙ୍କୁ ସ୍ୱାସ୍ଥ୍ୟ ସଚେତନତା ତଥା ଶୀତ ବସ୍ତ୍ର ପ୍ରଦାନ ଆଜି ଲେପ୍ରା ସୋସାଇଟି ତଥା ସୁବର୍ଣ୍ଣପୁର କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କର ସୋସାଇଟି କାର୍ଯ୍ୟାଳୟ ପରିସରରେ ସକାଳ ନଅଟା ବେଳେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଭୁବନେଶ୍ୱର କଳିଙ୍ଗ କାର୍ଡିଆକ ରିହାବିଲିଟେସନ ସେଣ୍ଟର ମୁଖ୍ୟ ଡ: ଦେବାଶୀଷ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଅନ୍ତେବାସୀମାନଙ୍କୁ ସ୍ୱାସ୍ଥ୍ୟରକ୍ଷାର ବିଶେଷ ନିୟମ, ଖାଦ୍ୟପେୟ ତଥା ଆଚାର ବ୍ୟବହାର ସଂପର୍କରେ, ବିଶେଷତଃ ହୃତପିଣ୍ଡର ସୁସ୍ଥତା ସଂପର୍କରେ ଆଲୋକପାତ କରିଥିଲେ । ଏହି ସଚେତନତା ସଭାରେ ଲେପ୍ରା ସୋସାଇଟି ଓଡିଶା ରାଜ୍ୟ ଆମ୍ବାସାଡର ଗୋରେଖନାଥ ସାହୁ ଅଧ୍ୟକ୍ଷତା କରି ଅନ୍ତେବାସୀମାନଙ୍କୁ ନିୟମିତ ସୂକ୍ଷ୍ମ ଯୋଗ ବ୍ୟାୟାମ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଉପଲକ୍ଷେ ସ୍ତ୍ରୀ ଓ ପୁରୁଷ ସମସ୍ତ ଅନ୍ତେବାସୀମାନଙ୍କୁ ଶୀତବସ୍ତ୍ର ବଣ୍ଟା ଯାଇଥିଲା । ସଚେତନତା ସଭା ଶେଷରେ ସୋସାଇଟିର ସଂଯୋଜକ ନୃସିଂହ ଚରଣ ମିଶ୍ର ଧନ୍ୟବାଦ ଦେଇଥିଲେ ।
ଠିକ୍ ସେହିପରି ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ସଶସ୍ତ୍ର ସଂରକ୍ଷିତ ଆରକ୍ଷୀ କାର୍ଯ୍ୟାଳୟ ପରିସର ମଧ୍ୟରେ ପୋଲିସ ବାହିନୀ ତଥା ସେମାନଙ୍କ ପରିବାରବର୍ଗଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ଯହିଁରେ ଡା: ଦେବାଶୀଷ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ହୃତପିଣ୍ଡର ସ୍ୱାସ୍ଥ୍ୟ ରକ୍ଷା, ହୃଦ ରୋଗର ପ୍ରତିଷେଧ ଓ ନିରାକରଣ ଉପରେ ସବିଶେଷ ଆଲୋକପାତ କରିଥିଲେ । ଷ୍ଟେଟ୍ ଓ ଶଲ୍ୟ ଚିକିତ୍ସା ବିନା ହୃତପିଣ୍ଡକୁ କିପରି ଇ.ସି.ପି ଥେରାପି ଦ୍ୱାରା ରୋଗର ଉପଶମ କରାଯାଇ ପାରୁଛି ସେ ସଂପର୍କରେ ଡା: ସାମନ୍ତରାୟ ନାନା ଉଦାହରଣ ଦେଇ ବୁଝାଇ କହିଥିଲେ । ଏହି ସ୍ୱାସ୍ଥ୍ୟ ସଚେତନତା ସଭାରେ ହରିଦ୍ୱାର ପତଂଜଳି ଯୋଗ ପୀଠର ଆଜୀବନ ସଭ୍ୟ ଗୋରେଖନାଥ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୋଗ ମାଧ୍ୟମରେ କିପରି ବିଭିନ୍ନ ରୋଗ ଆରୋଗ୍ୟ କରାଯାଇ ପାରୁଛି ସେ ସଂପର୍କରେ ବିଭିନ୍ନ ଯୋଗ ବ୍ୟାୟାମ ପ୍ରଦର୍ଶନ କରିଥିଲେ । ଉକ୍ତ ସଭାରେ ଆରକ୍ଷୀ ନିରୀକ୍ଷକ କାହ୍ନୁଚରଣ ମାରାଣ୍ଡି ସଭାପତିତ୍ୱ କରି ଉଦବୋଧନ ଦେଇଥିଲେ ଏବଂ ସଭାଟିକୁ ପତଂଜଳି ଯୋଗ ସମିତି ସହ ଯୁବପ୍ରଭାରୀ ମନୋଜ ପଣ୍ଡା ସଂଯୋଜନା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।