ଋଣ ଭାର ସହି ନପାରି ରଶି ଲଗାଇ ଝୁଲି ପଡିଲେ ଦମ୍ପତି

ପୁରୀ : ଋଣ ଭାର ସହି ନପାରି ଦମ୍ପତି କଲେ ଆତ୍ମହତ୍ୟା । । ଏଭଳି ଅଭାବନିୟ ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଅଁଳାଯୋଡି ଗ୍ରାମରେ । ଅଁଳାଯୋଡି ଗାଁର ବାନାମ୍ବର ବେହେରା ଏବଂ ବନିତା ବେହେରା ଆଜି ଭୋର ସମୟରେ ଘର ଭିତରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଗତକାଲି ରାତିରେ ଏକ ଘରୋଇ ଫାଇନାନ୍ସ କମ୍ପାନୀର କେତେକ କର୍ମଚାରୀ ଋଣ ଟଙ୍କା ଆଦାୟ କରିବାକୁ ବାନାମ୍ବରଙ୍କ ଘରେ ପହଞ୍ଚିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଟଙ୍କା ପାଇଁ ଘରେ ବସି ରହିଥିଲେ । ଋଣ ଟଙ୍କା ଦେବାକୁ ଧମକ ଚମକ ଦେଇଥିଲେ । ପରେ ଏହି ଚାପ ସହ୍ୟ କରିନପାରି ଋଣ ଚାପ ରେ
ଅତିଷ୍ଠ ହୋଇ ଦମ୍ପତ୍ତି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି । ମୃତ ବାନାମ୍ବରଙ୍କ ଦୁଇପୁଅ ଭୁବନେଶ୍ୱରରେ ରହୁଥିବାରୁ ଖବର ପାଇ ଗାଁରେ ପହଞ୍ଚି ପୋଲିସ ଏବଂ ଗ୍ରାମବାସୀଙ୍କ ସହାୟତାରେ ନିକଟସ୍ଥ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତେବେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିବାପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ବାନାମ୍ବର ବେହେରା ଏବଂ ତାଙ୍କ ପତ୍ନୀ ବନିତାଙ୍କ ୨ ପୁଅ ଥିବା ବେଳେ ସେମାନେ ଭୁବନେଶ୍ୱରରେ ରହି ବିଭିନ୍ନ କାର୍ଯ୍ୟ କରନ୍ତି । ଘରେ ଏହି ଦମ୍ପତି ରହୁଥିବା ବେଳେ ଚାଷବାସ କରି ପରିବାର ପ୍ରତିପୋଷଣ କରନ୍ତି । ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସବୁବେଳେ ଅଭାବ ଅନଟନ ଲାଗି ରହୁଥଲା । ଏହି ଦମ୍ପତି ଏକ ଘରୋଇ କମ୍ପାନୀରୁ କିଛି ଲୋନ୍‌ କରିଥିଲେ । ତେବେ ବିଭିନ୍ନ ସମସ୍ୟା ଯୋଗୁଁ ଠିକ୍‌ ସମୟରେ ସେ ଶୁଝି ପାରି ନ ଥିଲେ । ଅଭିଯୋଗ ହୋଇଛି ଯେ, ଉକ୍ତ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ ବାରମ୍ବାର ସେମାନଙ୍କ ଘରକୁ ଆସି ଗାଳିଗୁଲଜ କରୁଥିଲେ । ଗତ କାଲି ସନ୍ଧ୍ୟାରେ କିଛି ଫାଇନାନ୍ସ କର୍ମଚାରୀ ବାନାମ୍ବର ବେହେରାଙ୍କ ଘରେ ପହଞ୍ଚି ଟଙ୍କା ମାଗିଥିଲେ । ସେମାନେ ସେଠାର ବିଳମ୍ବିତ ରାତି ପର୍ଯ୍ୟନ୍ତ ରହିଥିଲେ । ସେମାନେ ଉଭୟ ଦମ୍ପତିଙ୍କୁ ଧମକ ଚମକ ଦବା ସହ ଗାଳିଗୁଲଜ କରିଥିଲେ । ଏଥିରେ ଅପମାନିତ ହୋଇ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କମ୍ପାନୀର କର୍ମଚାରୀ ଘରୁ ଯିବା ପରେ ଭୋର ପ୍ରାୟ ୪ଟା ସମୟରେ ସେମାନେ ରଶି ଲଗାଇ ଝୁଲି ପଡିଥିଲେ । ତେବେ ଘଟଣା ସ୍ଥଳରେ ପୋଲିସ୍‌ ପହଂଚି ତଦନ୍ତ ଆରମ୍ଭ କରିଛି ।

Comments (0)
Add Comment