ଆରସ୍ମିନ ଉଚ୍ଚ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ ଶିବିର

ଘୁ.ଉଦୟଗିରି:- ସ୍ଥାନୀୟ ବ୍ଲକ ଗ୍ରେସିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ସବୁଜ ସୁନ୍ଦର ୫-ଟି ଆରାସ୍ମିନ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଏମଡି ଜାମିଲଙ୍କ ତତ୍ତ୍ୱାବଧାନରେ ଛାତ୍ର ଛାତ୍ରୀଙ୍କୁ ନେଇ ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏପିଡି, ଆଇଟିଡିଏ, କନ୍ଧମାଳ, ବିଡିଓ ଆଶିଷ କୁମାର ତ୍ରିପାଠୀ, ଘୁ.ଉଦୟଗିରି ଯୋଗଦେଇଥିବା ବେଳେ ସ୍ଥାନୀୟ ଅଗ୍ନିଶମ ବିଭାଗର ଅଧିକାରୀ ମନୋରଞ୍ଜନ ପାଢୀଙ୍କ ନେତୃତ୍ୱରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ୱାରା ନିଆଁ ଦାଉରୁ ନିଜକୁ ଓ ଅନ୍ୟମାନଙ୍କୁ ରକ୍ଷା କରିବା ପାଇଁ ଆବଶ୍ୟକୀୟ କୌଶଳ ଗୁଡ଼ିକ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଯେପରି ଘରେ ରୋଷେଇ କଲାବେଳେ ଗ୍ୟାସ୍‌ ଟାଙ୍କିରେ ନିଆଁ ଲାଗିବା, କୌଣସି ଘରେ ଅଚାନକ ନିଆଁ ଲାଗିବା ପରେ କିପରି ବିପଦରୁ ନିଜକୁ ସୁରକ୍ଷିତ ରଖି ଅନ୍ୟମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ନେଇ ଉଦାହରଣ ସହ ଉକ୍ତ ବିପଦଯୁକ୍ତ ପରିସ୍ଥିତିର ଡେମୋ ମାଧ୍ୟମରେ ଉଦ୍ଧାର କୌଶଳ ସମ୍ପର୍କରେ ଅବଗତ କରାଇବା ସହ ଛାତ୍ର ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ବିଦ୍ୟାଳୟର ପ୍ରାୟ ୨୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ବେଳେ ବିଦ୍ୟାଳୟର ଖେଳ ପ୍ରଶିକ୍ଷକ ସୁରେଶ ଚନ୍ଦ୍ର ସାହୁ, ନନ୍ଦ କିଶୋର ସୀୟାଳ, ରାକେଶ କୁମାର ନାୟକ, ଲକ୍ଷ୍ମୀଧର ଭୋଇ ଓ ବିଦ୍ୟାଳୟର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ଅତିଥି ବିଦ୍ୟାଳୟର ସବୁଜ ସୁନ୍ଦର ମନଲୋଭା ପରିବେଶ ଓ ଛାତ୍ର ଛାତ୍ରୀଙ୍କ ଉପସ୍ଥିତି ଦେଖି ଏପିଡି ମହୋଦୟ ଖୁସି ବ୍ୟକ୍ତ କରିବା ସହ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ର ଛାତ୍ରୀଙ୍କୁ ପ୍ରଶଂସା କରିଥିଲେ ।

Comments (0)
Add Comment