ତୀର୍ଥଯାତ୍ରାରେ ଯିବେ ୧୫୯ ଜଣ ବରିଷ୍ଠ ନାଗରିକ

ପୁରୀ : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ ଜିଲ୍ଲାରୁ ୨୦୨୨-୨୩ ବର୍ଷ ପାଇଁ ୧୫୯ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯିବେ । ଏହି ବରିଷ୍ଠ ନାଗରିକ ମାନେ ଚଳିତ ମାସ ୪ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଆଜମେର ଓ ପୁଷ୍କର ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଯୋଜନା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ତୀର୍ଥଯାତ୍ରାରେ ସାମିଲ ହୋଇଥିବା ବରିଷ୍ଠ ନାଗରିକ ମାନଙ୍କୁ ଉପଯୁକ୍ତ ସ୍ଥାନ ଓ ସମୟରେ ପହଞ୍ଚିବାକୁ ସୂଚିତ କରିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଥିଲେ । ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ ବିସ୍ତୃତ ସୂଚନା ଦେଇ ଚଳିତ ତୀର୍ଥଯାତ୍ରାରେ ୧୫୯ ଜଣ ଯାତ୍ରୀଙ୍କ ମଧ୍ୟରେ ୧୧୩ ଜଣ ବ୍ୟକ୍ତି ସିଙ୍ଗିଲ ଥିବା ବେଳେ ୨୩ଜଣ ଦମ୍ପତି ରହିଛନ୍ତି । ସେହିପରି ଏହି ତୀର୍ଥଯାତ୍ରୀଙ୍କ ସହ ୫ ଜଣ ସହାୟକ ମଧ୍ୟ ଯାତ୍ରା କରିବେ । ସମସ୍ତ ତୀର୍ଥଯାତ୍ରୀ ଚଳିତ ମାସ ୩ ତାରିଖ ପୂର୍ବାହ୍ନ ୯ ଘଟିକାରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ପହଞ୍ଚିବାକୁ ସୂଚନା ଦିଆଯାଇଛି ବୋଲି କହିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ । ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ବିଭାଗର ଅଧିକାରୀ ମାନେ କାର୍ଯ୍ୟରେ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା ।

Comments (0)
Add Comment