ରଥଯାତ୍ରା ପୂର୍ବରୁ ଦଶପଲ୍ଲାରୁ ଗଡିବ ରେଳ

ଦଶପଲ୍ଲା : ଭୁବନେଶ୍ୱରରୁ ନୂଆଗାଁ ପର୍ଯ୍ୟନ୍ତ ଯାତ୍ରୀବାହୀ ରେଳ ଚଳାଚଳ କରୁଥିଲା ବେଳେ ରଥଯାତ୍ରା ପୂର୍ବରୁ ଏହି ବ୍ୟବସ୍ଥା ଦଶପଲ୍ଲା ପର୍ଯ୍ୟନ୍ତ ସଂପ୍ରସାରଣ ହେବ ବୋଲି ସୂଚନା ମିଳିଛି । ଗତ ମାସ ୧୮ତାରିଖରେ ଏକ ମାଲ ଗାଡ଼ିରେ ଲୁହାଟ୍ରାକ ଅଣାଯାଇ ନୂଆଗାଁ ଠାରୁ ଆଗକୁ ବିଛା ଯାଇଛି । ଆଉ ଏକ ଟ୍ରିପ ଖୁବ ଶୀଘ୍ର ଦଶପଲ୍ଲା ପର୍ଯ୍ୟନ୍ତ ବିଛାଯିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ, ବାଘମାରୀ-ଦଶପଲ୍ଲା ରାଜ୍ୟ ରାଜପଥ ଉପରେ ଦଶପଲ୍ଲା ନିକଟରେ ଓଭରବ୍ରିଜ କାର୍ଯ୍ୟ ଅନେକାଂଶରେ ଶେଷ ହୋଇଥିଲା ବେଳେ ଓଭରବ୍ରିଜ ଠାରୁ ଦଶପଲ୍ଲା ଷ୍ଟେସନ ପର୍ଯ୍ୟନ୍ତ ଆନୁସଙ୍ଗିକ କାର୍ଯ୍ୟ ଦୃତଗତିରେ ଚାଲୁ ରହିଛି । ଟ୍ରାକ ବିଛା କାର୍ଯ୍ୟ ଶେଷ ହେଲେ ପ୍ରଥମେ ପରୀକ୍ଷାମୂଳକ ଭାବେ ଏହି ଲାଇନରେ ରେଳ ଇଞ୍ଜିନ ଗଡିବ । ପରବର୍ତ୍ତୀ ସମୟରେ ରେଳ ସୁରକ୍ଷା କମିଶନଙ୍କ ଅନୁମୋଦନ ମିଳିବା ପରେ ଦଶପଲ୍ଲାକୁ ବିଧିବଦ୍ଧ ଭାବେ ଯାତ୍ରୀବାହୀ ରେଳ ଚଳାଚଳ କରିବ ବୋଲି ଜଣାପଡ଼ିଛି । ଅନୁରୂପ ଭାବେ ଦଶପଲ୍ଲା ଠାରୁ ଆଗକୁ ରେଳ ଲାଇନ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ କାର୍ଯ୍ୟରେ ବଡ଼ବାଧକ ସାଜିଥିବା ପରିବେଶମଞ୍ଜୁରୀ । କେନ୍ଦ୍ର ସରକାରଙ୍କଠାରୁ ପରିବେଶ ମଂଜୁରୀ ମିଳିବା ପରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଅନ୍ୟପକ୍ଷରେ ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର ଏବଂ ବଲାଙ୍ଗୀର ଜିଲ୍ଲାବାସୀଙ୍କ ଜୀବନ ରେଖା ଭାବେ ପରିଗଣିତ ଏହି ରେଳ ଲାଇନ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ଉପରେ ମଧ୍ୟ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାଧାନ୍ୟ ଦେଉଛନ୍ତି । ଫଳରେ ୨୦୨୫ ସୁଦ୍ଧା ବହୁ ପ୍ରତୀକ୍ଷିତ ଏହି ରେଳ ପ୍ରକଳ୍ପର କାର୍ଯ୍ୟ ଶେଷ ହେବା ଆଶା ଉଜ୍ଜୀବିତ ହୋଇଛି ।

Comments (0)
Add Comment