ପୁରୀ :ରଥ ନିର୍ମାଣ ପାଇଁ ଫାଶି କାଠ ଦାନ କରିଥିବା ଦାତା ମାନଙ୍କୁ ଶନିବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ନୀଳାଦ୍ରି ଭକ୍ତ ନିବାସ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ୨୦୨୦, ୨୦୨୧, ୨୦୨୨ ବର୍ଷ ପାଇଁ ସମୁଦାୟ ୮୭ ଜଣ ଦାତାଙ୍କୁ ସମ୍ମାନିତ କରାଯାଇଛି ।
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ମାନ୍ୟବର ସଦସ୍ୟ ବୃନ୍ଦ ଏବଂ ପିସିସିଏଫ, ବନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।
ସମସ୍ତ ଦାତାଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ, ଧ୍ୱଜା, ମହାପ୍ରସାଦ ତଥା ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ବନ ବିଭାଗ ଅଧିକାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।
ରଥ ନିର୍ମାଣ ପାଇଁ ଫାଶି କାଠ ଦାନକରି ମହାପ୍ରଭୁଙ୍କ ସେବା ଲାଭ ପାଇଁ ସମସ୍ତ ଦାତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଏହା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ ବୋଲି ଗଜପତି ମହାରାଜା ଆଶା ପ୍ରକାଶ କରିଥିଲେ । ସେହିପରି ସମସ୍ତ ଦାତାଙ୍କୁ ମୁଖ୍ୟ ପ୍ରଶାସକ ସାଧୁବାଦ ଜଣାଇଥିଲେ ।